ଭୁବନେଶ୍ୱର: ଶୁକ୍ରବାର ପବିତ୍ର ରାମ ନବମୀ ଅବସରରେ ଟିଟିଲାଗଡରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହେଉଥିଲା । ଏହି ଶୋଭାଯାତ୍ରାରେ ଅରାଜକତାର ସମସ୍ତ ସୀମାରେଖା ଉଲ୍ଲଂଘନ କରି ଟିଟିଲାଗଡ ବିଧାୟକ ନବୀନ ଜୈନ ଏକ ବନ୍ଧୁକ ବାହାର କରି ସର୍ବସାଧାରଣଙ୍କ ସାମ୍ନାରେ ଉପରକୁ ଫାଙ୍କା ଗୁଳି ଚାଳନା କରିଥିଲେ । ଏହି ଘଟଣାଟି ଡବଲ ଇଂଜିନ ସରକାରରେ ବିଜେପି ବିଧାୟକଙ୍କ ଔଦ୍ଧତ୍ୟର ନଗ୍ନ ଚିତ୍ର ବୋଲି ବିଜୁ ଜନତା ଦଳ କହିଛି ।
ଆଜି ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ସାଧାରଣ ସମ୍ପାଦିକା ତଥା ପୂର୍ବତନ ମନ୍ତ୍ରୀ ଟୁକୁନୀ ସାହୁ ଏବଂ ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ. ଲେନିନ ମହାନ୍ତି, ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ।
ଟୁକୁନୀ ସାହୁ କହିଥିଲେ, ଟିଟିଲାଗଡର ବିଧାୟକ ନବୀନ ଜୈନ ସରକାରୀ ଦଳର ବିଧାୟକ ହୋଇ ସରକାରୀ ନ୍ୟାୟ ବ୍ୟବସ୍ଥାର ସଂପୂର୍ଣ୍ଣ ଉଲ୍ଲଂଘନ କରିଛନ୍ତି । ଜଣେ ଜନପ୍ରତିନିଧି ହୋଇ ଟିଟିଲାଗଡ ପରି ଶାନ୍ତିପୂର୍ଣ୍ଣ ଜାଗାରେ ସର୍ବସାଧାରଣରେ ଗୁଳି ଫୁଟାଇବା ଏକ ଧର୍ତ୍ତବ୍ୟ ଅପରାଧ । ତେଣୁ ଏହି ଅପରାଧର ସଂଜ୍ଞାନ ନେଇ ରାଜ୍ୟ ପୋଲିସ ନବୀନ ଜୈନଙ୍କୁ ତୁରନ୍ତ ଗିରଫ କରନ୍ତୁ ।
ଏହିଭଳି ଅମାନବୀୟ ଘଟଣା ନବୀନ ଜୈନଙ୍କ ପାଇଁ ନୂଆ ନୁହେଁ । ପୂର୍ବରୁ ହୋଲି ଶୋଭାଯାତ୍ରାରେ ମଧ୍ୟ ନିଶାସକ୍ତ ଅବସ୍ଥାରେ ଜଣେ କର୍ମୀଙ୍କୁ ଏକ ଚଳନ୍ତା ଅଟୋରୁ ଠେଲି ଦେଇଥିଲେ । ଫଳସ୍ୱରୁପ ତତକ୍ଷଣାତ୍ ସଂପୃକ୍ତ କର୍ମୀଜଣଙ୍କ ସେଠାରେ ପ୍ରାଣ ହରାଇଥିଲେ । କିନ୍ତୁ ଏହି ଘଟଣାରେ ଯେହେତୁ ସେ ସରକାରୀ ଦଳର ବିଧାୟକ ତେଣୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା । ଫଳରେ ତାଙ୍କର ଅଂହକାର ଏବଂ ଔଦ୍ଧତ୍ୟତା ଆହୁରି ବଢି ଭୟଙ୍କର ରୂପ ନେଉଛି । ଯାହା ଟିଟିଲାଗଡ ଏବଂ ରାଜ୍ୟବାସୀ ପାଇଁ ଶୁଭଙ୍କର ନୁହେଁ ।
ଅନ୍ୟପଟେ ଡ. ମହାନ୍ତି ମଧ୍ୟ କହିଥିଲେ, ବିଜେପି ସରକାରର ଅଧିକାଂଶ ମନ୍ତ୍ରୀ ଓ ବିଧାୟକ ଖୋଲାଖୋଲି ଭାବେ ଆଇନ ଶୃଙ୍ଖଳା ବ୍ୟବସ୍ଥାର ଉଲ୍ଲଂଘନ କରୁଛନ୍ତି । କେଉଁଠି ଏକ ବିଧାୟକ ସର୍ବସାଧାରଣରେ ଗୁଳି ଫୁଟେଇଲେଣି ତ ଆଉ କେଉଁଠି ସ୍ୱାସ୍ଥ୍ୟମନ୍ତ୍ରୀ ଆଇନକୁ ଫୁ କରି ବିନା ହେଲମେଟରେ ବିଶୃଙ୍ଖଳିତ ଶୋଭାଯାତ୍ରାର ନେତୃତ୍ୱ ନେଉଛନ୍ତି । ସେହିଭଳି ରାଜଧାନୀର ରାଜରାସ୍ତାରେ ଏକ ଘରୋଇ ଗାଡିରେ ନାଲିବତୀ ଲଗାଇ ବିଜେପି କର୍ମୀମାନେ ବିଶୃଙ୍ଖଳା କରୁଥିଲା ବେଳେ କମିଶନରେଟ ପୋଲିସ ନୀରବଦ୍ରଷ୍ଟା ସାଜିଛି । ଓଡିଶା ଇତିହାସର ସବୁଠାରୁ ଅପାରଗ ଓ ଦୁର୍ବଳ ଗୃହମନ୍ତ୍ରୀ ହେଉଛନ୍ତି ମୋହନ ମାଝୀ । ଆଇନ ଶୃଙ୍ଖଳା ବ୍ୟବସ୍ଥା ଶୃଙ୍ଖଳିତ ନହେଲେ ବିଜୁ ଜନତା ଦଳ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବ ।