କଟକ : ଆଜିଠାରୁ ରାଜ୍ୟରେ ପୁଣି କଡ଼ାକଡ଼ି ହେବ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ । ପିୟୁସିସି ନଥିଲେ ଟୋଲଗେଟରେ ଇ-ଡିଟେକସନ ବ୍ୟବସ୍ଥାରେ କଟିବ ଚାଲାଣ। ରାଜ୍ୟ ସରକାର ଏପ୍ରିଲ ୧ ପର୍ଯ୍ୟନ୍ତ ପିୟୁସିସିକୁ କୋହଳ କରିଥିଲେ। କିନ୍ତୁ ୨ ତାରିଖରୁ ଅର୍ଥାତ ଆଜିଠାରୁ ଜୋରାଦାର ହେବ ଯାଞ୍ଚ। ପରିବହନ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସଡ଼କ ସୁରକ୍ଷାକୁ ନେଇ ଜାରି ରହିଥିବା ବିଶେଷ ଅଭିଯାନକୁ ଏପ୍ରିଲ ୧୦ ଯାଏଁ ବୃଦ୍ଧି କରାଯାଇଛି।
ମାର୍ଚ୍ଚ ୨୧ରୁ ଏହି ଅଭିଯାନ ଆରମ୍ଭ ହୋଇଥିବା ବେଳେ ଏପ୍ରିଲ ୧୦ ଯାଏ ଚାଲିବ । ସଡ଼କ ଦୁର୍ଘଟଣା ହ୍ରାସ ଲକ୍ଷ୍ୟରେ ଚାଲିଥିବା ଏହି ଅଭିଯାନରେ ରାଜ୍ୟବ୍ୟାପୀ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି । ଏହା ସହ ଅମାନିଆ ଗାଡ଼ି ଚାଳକଙ୍କୁ ନିୟନ୍ତ୍ରଣ ପାଇଁ ଏନଫୋର୍ସମେଣ୍ଟ ଉପରେ ଗୁରୁତ୍ୱ ଦିଆଯାଇଛି । ଓଡିଶାରେ ମାତ୍ର ୨୧ ପ୍ରତିଶତ ଗାଡ଼ିରେ ପ୍ରଦୂଷଣ ପ୍ରମାଣପତ୍ର ରହିଛି। ଅନେକ ଗାଡ଼ିର ଏହାର ବ୍ୟାପକ ଉଲ୍ଲଙ୍ଘନ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପିୟୁସିସି ଯାଞ୍ଚକୁ କଡ଼ାକଡ଼ି କରାଯାଇଥିଲା।
ଜନସାଧାରଣ ଏ ନେଇ ସଚେତନ ନ ଥିବାରୁ ପିୟୁସିସି ଯାଞ୍ଚକୁ କୋହଳ କରିଥିଲେ ରାଜ୍ୟ ସରକାର। ଏପ୍ରିଲ ୧ ପର୍ଯ୍ୟନ୍ତ ଏହି କୋହଳ ଲାଗୁଥିବା ବେଳେ ଆଜିଠାରୁ ପୁନଶ୍ଚ ପିୟୁସିସି ଯାଞ୍ଚ କଡ଼ାକଡ଼ି ହେବ । ବୈଧ ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା କରାଯାଉଛି । ସୂଚନାଯୋଗ୍ୟ ଯେ, ପରିବହନ ବିଭାଗ ଏହି ଜୋରିମାନା କମାଇବା ପାଇଁ ପ୍ରସ୍ତାବ ଦେଇଛି, କିନ୍ତୁ ବର୍ତ୍ତମାନ ପୁରୁଣା ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ଚାଲିଛି । ପେଟ୍ରୋଲ ପମ୍ପଗୁଡ଼ିକରେ PUCC ଦେଖାଇବା ପରେ ହିଁ ଗାଡ଼ିରେ ତେଲ ପକାଇବା ପାଇଁ ନିର୍ଦ୍ଦେଶ ରହିଛି । ପରିବହନ ବିଭାଗ ପକ୍ଷରୁ ମାଗଣାରେ ଗ୍ରୀନ୍ ଷ୍ଟିକର୍ ଦିଆଯାଉଛି, ଯାହା ଗାଡ଼ିର କାଚରେ ଲଗାଇବାକୁ ପରାମର୍ଶ ଦିଆଯାଇଛି । ଯାଞ୍ଚ ଭୟରେ ଭୁବନେଶ୍ୱରର ବିଭିନ୍ନ ପ୍ରଦୂଷଣ ଯାଞ୍ଚ କେନ୍ଦ୍ରଗୁଡ଼ିକରେ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି ।