କୋରାପୁଟ: କୋରାପୁଟ ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। କୋରାପୁଟର ବୈପାରିଗୁଡ଼ା, ଲମତାପୁଟ, ସେମିଳିଗୁଡ଼ା, ପଟାଙ୍ଗି, ଦାମନଯୋଡ଼ି, ଜୟପୁର, ନନ୍ଦପୁର ଅଞ୍ଚଳରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୪ ରେକର୍ଡ କରାଯାଇଛି । ଗତକାଲି ରାତି ୧୧ଟା ୩୧ ମିନିଟରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଫଳରେ ଲୋକେ ଆତଙ୍କିତ ହୋଇପଡ଼ିଥିଲେ।
ପ୍ରାୟ ୧୨ ସେକେଣ୍ଡ ଧରି ଭୂକମ୍ପ ଅନୁଭୂତ ହୋଇଥିଲା । ଯାହା ଲୋକଙ୍କ ଭିତରେ ଆତଙ୍କ ଖେଳାଇଦେଇଥିଲା । ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଖୋଲା ସ୍ଥାନକୁ ଯିବା ଦେଖିବାକୁ ମିଳିଛି । ମାଲକାନଗିରି ଜିଲ୍ଲାରେ ବି ଭୂମିକମ୍ପ ଅନୁଭୂତ ହୋଇଛି । ମାଥିଲି, କୁଡୁମୁଲୁଗୁମ୍ମା, ଖଇରପୁଟ ଅଂଚଳରେ ଲୋକେ ଝଟକା ଅନୁଭବ କରିଛନ୍ତି ।
ସୂଚନା ଥାଉକି ଗତ ୩ ଦିନ ତଳେ ଗୁଜରାଟର ନବସାରୀ ଜିଲ୍ଲାରେ ସକାଳୁ ସକାଳୁ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଭୂକମ୍ପର ତୀବ୍ରତା ୩.୪ ରହିଥିଲା । ଭୂକମ୍ପ ଝଟକା ସକାଳ ୫ଟା ୨୭ ମିନିଟରେ ଆସିଥିଲା । ଯାହାର କେନ୍ଦ୍ର ବାସନ୍ଦାରୁ ୨୨ କିମି ପୂର୍ବ ଦକ୍ଷିଣପୂର୍ବରେ ରହିଥିଲା । ସ୍ଥାନୀୟ ଅଧିକାରୀଙ୍କ କହିବା ମୁତାବକ, ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇନଥିଲା ।