ଭୁବନେଶ୍ୱର: ରାଜ୍ୟ ମନ୍ତ୍ରୀମଣ୍ଡଳ (କ୍ୟାବିନେଟ)ର ୩୭ ତମ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ରାଜ୍ୟ କ୍ୟାବିନେଟ ବୈଠକରେ ୧୩ଟି ବିଭାଗର ୧୬ଟି ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ବେଳେ ଏଥିରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ରହିଛି।
ମୁଖ୍ୟମନ୍ତ୍ରୀ ଏସଟିଏସସି ବିଭାଗର ଗୋଟିଏ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଅନ୍ୟଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ସମ୍ପର୍କରେ ବିବୃତ୍ତି ଦେଇଥିବା ବେଳେ ଅନ୍ୟ ସମସ୍ତ ୧୪ ଟି ପ୍ରସ୍ତାବ ଉପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। କ୍ୟାବିନେଟ ବୈଠକରେ ୧୯ ଟି ପ୍ରସ୍ତାବ ଆଗତ କରାଯାଇଥିଲା l ତନ୍ମଧ୍ୟରୁ ମୋଟ ୧୩ଟି ବିଭାଗର ୧୬ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଥିଲା l ସେଥିରେ ସପ୍ତଦଶ ବିଧାନସଭାର ୬ଷ୍ଠ ଅଧିବେଶନର ସତ୍ରାବସାନ ସମ୍ପର୍କିତ ପ୍ରସ୍ତାବ ପାରିତ ଅନ୍ତର୍ଭୁକ୍ତ ରହିଛି l
ତେବେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି, ଅଙ୍ଗନବାଡ଼ି କର୍ମୀଙ୍କୁ ମିଳିବ ମୋବାଇଲ୍ ଫୋନ। ୭୯ ହଜାର ଅଙ୍ଗନବାଡ଼ି କର୍ମୀ ଏହି ମୋବାଇଲ୍ ପାଇବେ। ଏଥିପାଇଁ ସରକାର ଖର୍ଚ୍ଚ କରିବେ ୯୩ କୋଟି। ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ଚୁକ୍ତି ବାତିଲ ହୋଇଛି। DMRC ସଂସ୍ଥା ସହ ହୋଇଥିବା ଚୁକ୍ତି ବାତିଲ କରାଯାଇଛି। ଉକ୍ତ ସଂସ୍ଥାକୁ ବକେୟା ରାଶି ପ୍ରଦାନ କରାଯିବ। ଅନ୍ୟପକ୍ଷରେ ଭୁବନେଶ୍ୱର ମେଟ୍ରୋ ରେଲ୍ କର୍ପୋରେସନ୍ ଲିମିଟେଡ୍, BMRCL ରହିବ। ଭବିଷ୍ୟତରେ ମେଟ୍ରୋ ପ୍ରକଳ୍ପ ହେଲେ ସହଯୋଗ କରିବ BMRCL।
ସେହିପରି ବୁଣାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀ ହସ୍ତତନ୍ତ ବିକାଶ ଯୋଜନା ଅନ୍ତର୍ଭୁକ୍ତ ରହିଛି। ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜିର ପୁନବିର୍କାଶ କରାଯିବ। ଏଥିପାଇଁ ୯୩୦ କୋଟି ଟଙ୍କା ଖର୍ଚ୍ଚ ହେବ। ବଡ଼ମ୍ବା ସମବାୟ ଚିନି ଶିଳ୍ପ ଖୋଲିବ। ଏଥିପାଇଁ ୩୫୨ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏଥିପାଇଁ ଇଣ୍ଡିଆ ପୋଟାସ୍ ଲିଃ ସହିତ ଚୁକ୍ତି ହୋଇଛି। ଖାଦ୍ୟ ଓ ଯୋଗାଣ ନିଗମକୁ ଅନୁମତି ଦିଆଯାଇଛି ଯେ, ଯେଉଁ ବଳକା ଚାଉଳ ରହିଯାଉଛି, ତାକୁ ନିଲାମ ମାଧ୍ୟମରେ ବିକ୍ରି କରାଯାଇ ପାରିବ।