ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଖରା ତାତି ସାଙ୍ଗକୁ ଝଡ଼ବର୍ଷା ପ୍ରଭାବ। ଅପରାହ୍ଣରେ ବଦଳି ଯାଉଛି ପାଗ। ଆଜି ପାଇଁ ୧୮ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ତେବେ ଆଜିଠୁ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବର୍ଷା ବଢ଼ିପାରେ। ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ରହିଛି। ୪୦ରୁ ୫୦ କିମି ବେଗରେ ପବନ ବହିବ।
ଉତ୍ତର ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ କୁଆପଥର ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ୬ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ଅଛି। ସେହିଭଳି ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ।
୭ ଓ ୮ ତାରିଖରେ ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ। ଝାରସୁଗୁଡ଼ା, ତାଳଚେର, ପାରଳାଖେମୁଣ୍ଡିରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା । ତାଳଚେରରେ ସର୍ବାଧିକ ୪୦.୨ ଡିଗ୍ରୀ ରେକର୍ଡ ହୋଇଛି । ଶନିବାର ଚାନ୍ଦବାଲି ଓ ଭଦ୍ରକର କିଛି ସ୍ଥାନରେ ବର୍ଷା ହୋଇଥିଲା । ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ଖରା ସାଙ୍ଗକୁ ତାତି ଓ ଗୁଳୁଗୁଳି ଅନୁଭୂତ ହୋଇଥିଲା ।