ଭୁବନେଶ୍ୱର: ଲୋକସେବା ଭବନଠାରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗୀୟ କାର୍ଯ୍ୟ ସହ ଆମ ସାଥୀ ଚାଟ୍ ବଟ୍ ର ଉପଯୋଗିତା ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ହ୍ବାଟସଆପ୍ ମାଧ୍ୟମରେ ବର୍ତ୍ତମାନ୍ ଉପଲବ୍ଧ ଥିବା ଆମ ସାଥୀ ଚାଟ୍ ବଟକୁ ରାଜସ୍ୱ ସେବା ପ୍ରଦାନ ନିମନ୍ତେ ଅଧିକ ସହଜ ଏବଂ ଲୋକାଭିମୁଖୀ କରିବାକୁ ମାନ୍ୟବର ରାଜସ୍ୱ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି l
ସାଧାରଣ ଲୋକେ କିପରି ଭାବରେ ସହଜରେ ପ୍ରଶାସନକୁ ନିଜ ସମସ୍ୟା ଜଣାଇ ପାରିବେ ଏବଂ ତ୍ଵରିତ ସହାୟତା ପାଇପାରିବେ, ତାହାକୁ ସୁନିଶ୍ଚିତ କରିବା ପାଇଁ ଆମ ସାଥୀ ଚାଟ୍ ବଟର ଦକ୍ଷତା ବିକାଶ କରାଯାଉଛି l ଏହା ଦ୍ଵାରା ହ୍ବାଟସଆପ୍ ମାଧ୍ୟମରେ ଜନସାଧାରଣ ନିଜର ସମସ୍ୟା କିମ୍ବା ଅଭିଯୋଗ ସହଜରେ ଜଣାଇବା ସହ ତହସିଲଦାର୍ ଏବଂ ଅନ୍ୟ ସମ୍ପର୍କିତ ଅଧିକାରୀ ତାହାକୁ ଗ୍ରହଣ କରି ତ୍ଵରିତ ପଦକ୍ଷେପ ନେଇପାରିବେ l ଏ ସଙ୍କ୍ରାନ୍ତୀୟ ସମସ୍ତ ପ୍ରକିୟା ରାଜସ୍ୱ ମନ୍ତ୍ରୀ ଏବଂ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ବ୍ୟକ୍ତିଗତ ଅବଗତି ନିମନ୍ତେ ମଧ୍ଯ ଉପଲବ୍ଧ ହେବ l
ଏଥିନିମନ୍ତେ ରାଜସ୍ୱ ବିଭାଗରେ ସ୍ଵତନ୍ତ୍ର କର୍ମଚାରୀ ନିଯୁକ୍ତ ହେବା ସହ ହ୍ୱାଟସଆପରେ ରାଜସ୍ୱ ସେବା ପ୍ରଦାନ ପ୍ରକ୍ରିୟା ସୁସମ୍ପାଦିତ ହେବ l ସେହିପରି ଅଭିଯୋଗ ଗ୍ରହଣ ପରେ ତ୍ଵରିତ ପଦକ୍ଷେପ ନିଆଯିବା ସହ ସମସ୍ୟା ସମାଧାନ ପରେ ଜନସାଧାରଣଙ୍କ ମତାମତ ମଧ୍ଯ ନିଆଯିବ l
ଏଥି ସହିତ ବର୍ତ୍ତମାନ୍ ରାଜସ୍ୱ ଅଧିକାରୀଙ୍କ ପ୍ରଶିକ୍ଷଣ ପ୍ରତିଷ୍ଠାନ (ROTI)ରେ ପ୍ରଶିକ୍ଷଣ ନେଉଥିବା ନୂତନ OAS ଏବଂ ORS ଅଧିକାରୀଙ୍କୁ ଆମ ସାଥୀ ଚାଟ୍ ବଟ୍ ମାଧ୍ୟମରେ ରାଜସ୍ୱ ସେବା ଏବଂ ଅଭିଯୋଗ ଶୁଣାଣି ସମ୍ପର୍କିତ ତାଲିମ୍ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି l ସେହିପରି ଆଗାମୀ ଦିନରେ ରାଜ୍ୟର ସମସ୍ତ ତହସିଲଦାର୍ ଏବଂ ଅନ୍ୟାନ୍ୟ ରାଜସ୍ୱ ଅଧିକାରୀଙ୍କୁ ଆଭାସୀ ମାଧ୍ୟମରେ ତାଲିମ୍ ଦିଆଯିବା ସହ ପ୍ରଶାସନର ଦକ୍ଷତା ବିକାଶ କରାଯିବାକୁ ନିଷ୍ପତ୍ତି ହୋଇଛି l
ଜନସାଧାରଣଙ୍କ ପାଇଁ ରାଜସ୍ୱ ସେବା ସହଜରେ ଉପଲବ୍ଧ କରାଯିବା ନେଇ ରାଜସ୍ୱ ବିଭାଗ ବଦ୍ଧପରିକର ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀ ଗୁରୁତ୍ୱାରୋପ କରିଛନ୍ତି l ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ l