ଭୁବନେଶ୍ୱର: ଆହୁରି ଦୁଇ ଦିନ ରାଜ୍ୟରେ କାଳବୈଶାଖୀ ସମ୍ଭାବନା। ୧୨ରୁ ପୁଣି ଫେରିବ ତାତି। ଭୀଷଣ ଗରମ ଓ ଗୁଳୁଗୁଳି ହେବ। ଉପରମୁହାଁ ହେବ ପାରଦ। ୧୦ ତାରିଖବେଳକୁ ପଶ୍ଚିମ ଓଡ଼ିଶା ୪୦ ଡିଗ୍ରୀ ଡେଇଁବ। ୧୨ରୁ ଉପକୂଳ ଓଡ଼ିଶା ଗରମ, ଗୁଳୁଗୁଳିରେ ଘାଣ୍ଟି ହେବ। ଏଭଳି ପୂର୍ବାନୁମାନ ଦେଖାଇଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୧୨ରୁ ୧୪ ତାରିଖ ଯାଏଁ ଗରମ ଓ ଗୁଳୁଗୁଳିର ପ୍ରଭାବ ବହୁ ଅଧିକ ରହିବ । ୧୪ ଜିଲ୍ଲାରେ ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯିବା ସହ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ରାଜ୍ୟରେ ଗତ କିଛିଦିନ ହେବ ନିୟମିତ କାଳବୈଶାଖୀ ପ୍ରଭାବରେ ବର୍ଷା, ପବନ, ଘଡ଼ଘଡ଼ି ଲାଗି ରହିଛି। ଉପକୂଳ ତାପମାତ୍ରା ୩୫ ଡିଗ୍ରୀ ତଳେ ଓ ପଶ୍ଚିମ ଓଡ଼ିଶା ୪୦ ଡିଗ୍ରୀରୁ କମ୍ ରହିଛି। ବୁଧବାର କାଳବୈଶାଖୀ ପ୍ରଭାବରେ ପୁରୀ ଜିଲ୍ଲା କଣାସରେ ବଜ୍ରପାତ ଘଟି ଜଣେ ଚାଷୀଙ୍କର ବିଲରେ ମୃତ୍ୟୁ ହୋଇଛି। ବାଲେଶ୍ୱର ଜିଲ୍ଲା ଖଇରାରେ ବର୍ଷା, ପବନବେଳେ ଗଛ ପଡ଼ି ଜଣେ ଗୁରୁତର ଆହତ ହୋଇଛନ୍ତି।
ଭଦ୍ରକରେ ସକାଳେ ବର୍ଷା ଛେଚିଥିବାବେଳେ ସନ୍ଧ୍ୟାରେ ବି ବର୍ଷା ହୋଇଛି । ବାତାବରଣ ପୂରା ଥଣ୍ଡା ପଡ଼ିଯାଇଛି । ଢେଙ୍କାନାଳର କାମାକ୍ଷାନଗରରେ ପ୍ରବଳ ବର୍ଷା, ପବନ ଯୋଗୁ ଅନେକ ସ୍ଥାନରେ ଗଛ ଭାଙ୍ଗିଛି । ଗଁଦିଆରେ ବି ବର୍ଷା ହୋଇଛି । ଭୁବନେଶ୍ୱରରେ ଦିନ ତମାମ ପାଗ ମେଘୁଆ ଥିବାବେଳେ ଅପରାହ୍ନରେ ୧୧.୨ ମିମି ବର୍ଷା ହୋଇଛି । ଏହାବାଦ ପାରାଦୀପରେ ୨୮.୫ ମିମି, ପୁରୀରେ ୨୩ ମିମି, ନୟାଗଡ଼ରେ ୧୩ ମିମି ବର୍ଷା ହୋଇଛି ।
ଅନ୍ୟପଟେ ଏବେ ରାଜ୍ୟର ଦିନ ତାପମାତ୍ରା ବିଶେଷ ବଢିବ ନାହିଁ। ପରବର୍ତ୍ତୀ ସମରେ ତାପମାତ୍ରା ହଠାତ୍ ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ। ଆଜି ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ପାଗ ଆଂଶିକ ମେଘୁଆ ରହିଛି । ବର୍ଷା ସମ୍ଭାବନା ବି ରହିଛି । ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସହ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଆସନ୍ତାକାଲି ବି କାଁ ଭାଁ କାଳବୈଶାଖୀ ବର୍ଷା ହେବ ।