Latest Odisha News

BREAKING NEWS

Gold smuggling: ବିମାନବନ୍ଦରରେ ୩୮ କୋଟି ଟଙ୍କାର ସୁନା ଚୋରା ଚାଲାଣ ରାକେଟ୍‌ର ପର୍ଦ୍ଦାଫାସ; ବିଦେଶୀ ମହିଳା ଗିରଫ

ମୁମ୍ବାଇ: ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (DRI) ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତୀୟ (CSMI) ବିମାନବନ୍ଦରରେ ଏକ ବଡ଼ ଆନ୍ତର୍ଜାତିକ ସୁନା ଚୋରା ଚାଲାଣ ରାକେଟ୍‌ ର ପର୍ଦ୍ଦାଫାଶ କରିଛି। DRI ₹୩୭.୭୪ କୋଟି ମୂଲ୍ୟର ୨୯.୩୭କିଲୋଗ୍ରାମ ସୁନା ଜବତ କରିଛି ଏବଂ ଏପର୍ଯ୍ୟନ୍ତ ମୋଟ ୨୬ ଜଣ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି। ଜବତ ସୁନା ଭିତରେ ୨୫.୧୦କିଲୋଗ୍ରାମ ସୁନା ବିସ୍କୁଟ୍ ଏବଂ ୪.୨୭ କିଲୋଗ୍ରାମ ସୁନା ଅଳଙ୍କାର ରହିଛି ।

ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଦ୍ୱାରା ପ୍ରାପ୍ତ ଗୁପ୍ତ ସୂଚନା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, DRI ଅଧିକାରୀମାନେ ୮ ଏପ୍ରିଲ, ୨୦୨୬ରେ କେନିୟାର ନାଇରୋବିରୁ ମହିଳାଙ୍କ ଏକ ଗୋଷ୍ଠୀକୁ ଚିହ୍ନଟ କରିଥିଲେ ଯେଉଁମାନେ ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତୀୟ (CSMI) ବିମାନବନ୍ଦର ଦେଇ ବିପୁଳ ପରିମାଣର ସୁନା ଚୋରା ଚାଲାଣ କରିବାକୁ ଚେଷ୍ଟା କରୁଥିଲେ।

ଖବରମୁତାବକ, ଏପ୍ରିଲ ୮ ତାରିଖ ଦିନ ସକାଳ ପ୍ରାୟ ୧୧ଟା ସମୟରେ ଯାତ୍ରୀମାନେ ଗ୍ରୀନ୍ ଚ୍ୟାନେଲ ଆଡକୁ ଯାତ୍ରା କରିଥିଲେ କିନ୍ତୁ ଅଧିକାରୀମାନଙ୍କୁ ଦେଖି ପଛକୁ ହଟି ଯାଇଥିଲେ। ପଚରାଉଚରା ସମୟରେ, ୨୫ ଜଣ ଯାତ୍ରୀ ନିଜକୁ ପରିଚୟ ଦେଇଥିଲେ,କିନ୍ତୁ ୨୬ ତମ ଯାତ୍ରୀଙ୍କୁ ନକଲି ପାସପୋର୍ଟ ବ୍ୟବହାର କରିବାକୁ ଚେଷ୍ଟା କରୁଥିବା ନେଇ ଅଟକ ରଖାଯାଇଥିଲା। ଦୁଇଜଣ ଯାତ୍ରୀଙ୍କ ତଲାସୀ ବେଳେ ସେମାନଙ୍କ ଜୋତାରେ ଲୁଚାଇ ରଖାଯାଇଥିବା ସୁନା ବିସ୍କୁଟ ଥିବା ଜଣାପଡ଼ିଥିଲା।

ଜଣେ ଅଧିକାରୀ କହିଛନ୍ତି, “କିଛି ଯାତ୍ରୀ ଲଗେଜ୍ ବେଲ୍ଟ ପାଖରେ କଳା ଟେପ୍ ଗୁଡ଼ା ହୋଇଥିବା ଜିନିଷ ଫୋପାଡ଼ିବାକୁ ଲାଗିଲେ। ଡିଆରଆଇ ତରଳ ସୁନା ଥିବା ଅନେକ ପାଉଚ୍ ଜବତ କରିଛି। ”

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଧରାପଡ଼ିଥିବା କୌଣସି ଯାତ୍ରୀଙ୍କ ପାଖରେ ସୁନା ସମ୍ବନ୍ଧୀୟ କୌଣସି ବୈଧ କାଗଜପତ୍ର କିମ୍ବା ରସିଦ ମିଳିନଥିଲା । ସେମାନେ କଷ୍ଟମ୍ ବିଭାଗରେ ଏହା ବିଷୟରେ କୌଣସି ଘୋଷଣା ମଧ୍ୟ କରିନଥିଲେ।

ଡିଆରଆଇ ବର୍ତ୍ତମାନ ଏହି ସୁନା ଚୋରା ଚାଲାଣ ପଛର ମାଷ୍ଟର ମାଇଣ୍ଡ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଅଧିକ ତଦନ୍ତ କରୁଛି ।

Leave A Reply

Your email address will not be published.