କଟକ:କଟକ ରେଳ ଷ୍ଟେସନରୁ ୧୨ ଜଣ ନାବାଳକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ରେଳବାଇ ସୁରକ୍ଷା ବଳ- RPFର ‘ଅପରେସନ୍ ନନ୍ହେ ଫରିସ୍ତେ’ ଅଭିଯାନ ମାଧ୍ୟମରେ ନାବାଳକଙ୍କୁ ଉଦ୍ଧାର କରାଯାଇଛି । ମାଗଣାରେ ମାଦ୍ରାସାରେ ପଢ଼ାଇବା ନାଁରେ ବିହାର ଆରାରିଆ ଜିଲ୍ଲାରୁ ଓଡ଼ିଶା ଆସିଥିବା ୧୨ ଜଣ ନାବାଳକ କଟକ ରେଳଷ୍ଟେସନର ୪ନମ୍ବର ପ୍ଲାଟଫର୍ମରୁ ଉଦ୍ଧାର ହୋଇଛନ୍ତି ।
ଖବରମୁତାବକ, ସକାଳ ପ୍ରାୟ ୧୦:୧୫ ସମୟରେ ପଶ୍ଚିମବଙ୍ଗର ନ୍ୟୁ ଜଲପାଇଗୁଡ଼ିରୁ ତାମିଲନାଡୁର ତିରୁଚିରାପଲ୍ଲୀ (NJP-TPJ AMRUT BHARAT EXPRESS) ଯାଉଥିବା ଅମୃତ ଭାରତ ଏକ୍ସପ୍ରେସ କଟକ ଷ୍ଟେସନର ୪ ନମ୍ବର ପ୍ଲାଟଫର୍ମରେ ପହଞ୍ଚିଥିଲା । ଏହାପରେ ଟ୍ରେନର ପଛ ଆଡ଼କୁ ଥିବା ଏକ ଜେନେରାଲ ବଗିରୁ ୧୨ ଜଣ ନାବାଳକ ଓହ୍ଲାଇଥିବା ଆରପିଏଫ୍ କର୍ମଚାରୀମାନେ ଲକ୍ଷ୍ୟ କରିଥିଲେ । ପିଲାମାନଙ୍କ ଗତିବିଧି ସନ୍ଦେହଜନକ ଥିଲା ତେଣୁ ସେମାନଙ୍କୁ ପଚରାଉଚରା କରାଯାଇଥିଲା । ଏହାପରେ ସେମାନଙ୍କୁ ଚାଇଲ୍ଡଲାଇନକୁ ହସ୍ତାନ୍ତର କରାଯାଇଛି।
ଉଦ୍ଧାର ହୋଇଥିବା ପିଲାମାନଙ୍କ କହିବା ଅନୁଯାୟୀ, ଜଣେ ଅଜଣା ବ୍ୟକ୍ତି ସେମାନଙ୍କୁ ଓଡ଼ିଶାରେ ମାଗଣା ମଦ୍ରାସା ଶିକ୍ଷା ସହିତ ରହିବା ଓ ଖାଇବାର ସୁବିଧା ଯୋଗାଇଦେବାକୁ କହି ପ୍ରଲୋଭିତ କରିଥିଲେ । ସେହି ବ୍ୟକ୍ତି ଜଣକ ସେମାନଙ୍କୁ କଟକ ରେଳ ଷ୍ଟେସନରେ ଓହ୍ଲାଇବାକୁ କହିଥିଲେ ଏବଂ ସେଠାରେ ସେମାନଙ୍କୁ ନେବାକୁ କେହି ଜଣେ ଆସିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ମାତ୍ର ଷ୍ଟେସନରେ ସେହି ପିଲାମାନଙ୍କୁ ନେବା ପାଇଁ କେହି ପହଞ୍ଚି ଆସିନଥିଲେ ।
ତେବେ ଆରପିଏଫ୍ ପକ୍ଷରୁ ସମସ୍ତ ୧୨ ଜଣ ନାବାଳକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଖାଦ୍ୟ ଓ ପାନୀୟ ଜଳ ଆଦି ଯୋଗାଇ ଦେଇଥିଲା । ଏହି ଘଟଣା ସମ୍ପର୍କରେ ଶିଶୁ ସହାୟତା କେନ୍ଦ୍ର, ଜି.ଆର.ପି ଏବଂ ଷ୍ଟେସନ ମ୍ୟାନେଜରଙ୍କୁ ଅବଗତ କରାଯାଇଛି । ପିଲାମାନଙ୍କ ପରିବାର ସହିତ ମଧ୍ୟ ଯୋଗାଯୋଗ କରାଯାଇଛି ।
ସୂଚନାଯୋଗ୍ୟ, କିଛି ଦିନ ତଳେ ସମାନ ଢଙ୍ଗରେ ଜଣେ ମୌଲବୀ ଆରାରିଆ ଜିଲ୍ଲାରୁ ଏକାଧିକ ପିଲାଙ୍କୁ ନେଇ ଆସୁଥିବା ବେଳେ କଟକ ରେଳ ଷ୍ଟେସନରେ ଆରପିଏଫ୍ ଦ୍ଵାରା ଧରାପଡ଼ିଥିଲା।