ନରବଙ୍ଗପୁର: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବନ ରେଞ୍ଜ୍ର ଅଧିକାରୀ ସୁକୁମାର ଦୁଖୁ । ତାଙ୍କ ନିକଟରୁ ୨.୩୩ ଲକ୍ଷ ଟଙ୍କା ଜବତ ହୋଇଛି । ଏହା ସହ ଏକ ବୋଲେରୋ (ଓଡ଼ି୧୮କେ ୭୦୪୧)କୁ ମଧ୍ୟ ଜବତ କରାଯାଇଛି । ଏହା ସହ ବର୍ତ୍ତମାନ କାର୍ଯ୍ୟାଳୟ, ବାସଭବନ ଆଦି ୩ଟି ସ୍ଥାନରେ ଚଢ଼ାଉ କରାଯାଇ ସୁକୁମାରଙ୍କ ଆୟ ବହିର୍ଭୁତ ସମ୍ପତ୍ତିର ଆକଳନ କରାଯାଉଛି ।
ଯାଞ୍ଚ ବେଳେ ସୁକୁମାରଙ୍କ ସରକାରୀ ଗାଡ଼ି (ବୋଲେରୋ)ରୁ ୨ ଲକ୍ଷ ୩୩ ହଜାର ଟଙ୍କା ନଗଦ ମିଳିଥିଲା । ଜେରା ସମୟରେ ଏହି ଟଙ୍କା କେଉଁଠାରୁ ଆଣିଲେ ସେନେଇ ସୁକୁମାର କୌଣସି ସ୍ପଷ୍ଟ ସୂଚନା ଦେଇପାରିନଥିଲେ ।
ଭିଜିଲାନ୍ସ ବିଭାଗ ପକ୍ଷରୁ ଜାରି ସୂଚନାନୁସାରେ, ରାୟଗଡା ଜିଲ୍ଲା ଗୁଡାରି ରେଞ୍ଜର ସୁକୁମାର ଦୁଖୁ ୨ ଲକ୍ଷ ୩୪ ହଜାର ୮୦୦ ଟଙ୍କା ଧରି ନିଜ ଗାଡ଼ିରେ ନବରଙ୍ଗପୁର ଆସୁଥିଲେ । ଗୁଇନ୍ଦା ସୂତ୍ରରୁ ସୂଚନା ପାଇଁ ପୋଲିସ ନବରଙ୍ଗପୁର ଇନ୍ଦ୍ରାବତୀ ପୋଲ ନିକଟରେ ସୁକୁମାରଙ୍କୁ ଅଟକାଇଥିଲେ । ସୁକୁମାର ନିଜ ସରକାରୀ ଗାଡ଼ିରେ ଗୁଡ଼ାରୀରୁ ନିଜ ଘର ନବରଙ୍ଗପୁର ଯାଉଥିଲେ ।