ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ବରିଷ୍ଠ ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କୁ ଉଚ୍ଚ ସଦନରେ ସଂସଦୀୟ ଦଳର ନେତା ଏବଂ ସୁଲତା ଦେଓଙ୍କୁ ସଂସଦୀୟ ଦଳର ଉପନେତା ଓ ମୁଖ୍ୟ ସଚେତକ ଭାବରେ ନିଯୁକ୍ତ କରିଛି। ଉଭୟଙ୍କ ଚୟନକୁ ଅନୁମୋଦନ ଦେବାକୁ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ।
ଗତ କିଛି ଦିନ ପୂର୍ବରୁ ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ର ଇସ୍ତଫା ଦେଇଥିଲେ। ତାଙ୍କ ଇସ୍ତଫା ପରେ ଆଭ୍ୟନ୍ତରୀଣ ପୁନର୍ଗଠନ ମଧ୍ୟରେ ଏହି ନିଷ୍ପତ୍ତି ତୁରନ୍ତ କାର୍ଯ୍ୟକାରୀ ହେଉଛି। ଅପରପକ୍ଷରେ ଏହି ପଦ ପାଇଁ ନବ ନିର୍ବାଚିତ ସାଂସଦ ସନ୍ତୃପ୍ତ ମିଶ୍ରଙ୍କ ନାଁ ଚର୍ଚ୍ଚାରେ ରହିଥିଲା।
ଜୁଲାଇ ୨୦୨୨ରୁ ଓଡ଼ିଶାରୁ ରାଜ୍ୟସଭା ସଦସ୍ୟ ଥିବା ମାନସ ମଙ୍ଗରାଜ ପୂର୍ବରୁ ଉଚ୍ଚ ସଦନରେ ଦଳର ମୁଖ୍ୟ ସଚେତକ ଭାବରେ କାର୍ଯ୍ୟ କରିଛନ୍ତି ଏବଂ ସେ ବିଜେଡି ସାଧାରଣ ସମ୍ପାଦକ (ମିଡ଼ିଆ ବ୍ୟାପାର) ଏବଂ ଓଡ଼ିଶା ସରକାରଙ୍କ ମିଡିଆ ପରାମର୍ଶଦାତା ଭଳି ଭୂମିକା ମଧ୍ୟ ଗ୍ରହଣ କରିଛନ୍ତି।
ସେହିପରି ସୁଲତା ଦେଓ ୨୦୨୨ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ପରେ ୨୦୨୩ରେ ମାନସ ମଙ୍ଗରାଜ ଏହି ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସେ ମୁଖ୍ୟ ସଚେତକ ଭାବରେ କାର୍ଯ୍ୟ କରିଥିଲେ। ସେ ରାଜ୍ୟର ‘ମିଶନ ଶକ୍ତି’ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମର ପରାମର୍ଶଦାତା ଏବଂ ବିଜେଡି ମୁଖପାତ୍ର ମଧ୍ୟ ଥିଲେ।