ପ୍ରତିଶ୍ରୁତି ରଖିଲେ ମୁଖ୍ୟମନ୍ତ୍ରୀ; ବଡ଼ବିଲ ବାଇପାସ ରିଙ୍ଗରୋଡ଼ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ
୨୯ କୋଟି ୪୧ ଲକ୍ଷର ୨୪ ଟି ପ୍ରକଳ୍ପର ଲୋକାର୍ପିତ
ଭୁବନେଶ୍ୱର: କଥା ଦେଇ କଥା ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବଡ଼ବିଲ ଠାରେ ବଡ଼ବିଲ ବାଇପାସ ରିଙ୍ଗରୋଡ଼ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନା କରି ବଡ଼ବିଲ ଅଞ୍ଚଳବାସୀଙ୍କ ବହୁ ପ୍ରତିକ୍ଷିତ ସ୍ବପ୍ନ ପୂରଣ କରିଛନ୍ତି। ଗତବର୍ଷ ଘଟଗାଁ ଠାରେ ମୁଖ୍ୟମନ୍ତ୍ରୀ ଏହି ପ୍ରତିଶୃତି ଦେଇଥିଲେ।
ଏହି ଅବସରରେ କେନ୍ଦୁଝର ଜିଲ୍ଲା ପାଇଁ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡିକର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଆଜିର କାର୍ଯ୍ୟକ୍ରମରେ ୨୯ କୋଟି ୪୧ ଲକ୍ଷ ବ୍ୟୟ ବରାଦରେ ୨୪ ଟି ପ୍ରକଳ୍ପର ଲୋକାର୍ପଣ କରିବା ସହିତ ୩୨୬ କୋଟି ୪୩ ଲକ୍ଷ ଟଙ୍କା ବ୍ୟୟ ବରାଦରେ ୫୧ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ବଡ଼ବିଲ ସହର ପାଇଁ ଏକ ବାଇପାସ୍ ତଥା ରିଂ ରୋଡର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଯାହାର ଦୈର୍ଘ୍ୟ ହେଉଛି ୧୮ କିଲୋମିଟର ୩୨୬ ମିଟର। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ପାଇଁ ୧୫୮୧ କୋଟି ୨୧ ଲକ୍ଷ ଟଙ୍କା ବିନିଯୋଗ କରାଯିବ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ ଯୋଡ଼ା, ବାସୁଦେବପୁର ଓ ବଡ଼ବିଲ ଅଞ୍ଚଳ ପାଇଁ ୨୯୮ କୋଟି ଟଙ୍କା ବ୍ୟୟରେ ଖୁବ ଶୀଘ୍ର ଏକ ବିଦ୍ୟୁତ ସବ ଷ୍ଟେସନ ନିର୍ମାଣ ହେବ ଏବଂ ୮ ଲେନ ବିଶିଷ୍ଟ ବଡ଼ବିଲ – ପାରାଦ୍ୱୀପ ରାସ୍ତା ନିର୍ମାଣ କାର୍ଯ୍ୟକୁ ଶୀଘ୍ର ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କେନ୍ଦୁଝର ବା ବଡବିଲ୍ ପରି ସହରମାନଙ୍କ ଟ୍ରାଫିକ ଏବଂ ଭାରି ଯାନବାହାନ ଚଳାଚଳ ସମସ୍ୟା ବିଷୟରେ ମୁଁ ସବୁ ଜାଣିଛି। ମୁଁ ନିଜେ ଗୋଟିଏ ଭୁକ୍ତଭୋଗୀ। ଆଉ ଲୋକଙ୍କ ସୁବିଧା ଲାଗି ବଡ଼ବିଲ ସହର ପାଇଁ ୧୮ କିଲୋମିଟରରୁ ଉର୍ଦ୍ଧ୍ୱ ଲମ୍ବା ବାଇପାସ୍ ତଥା ରିଂ ରୋଡ୍ ର ଶିଳାନ୍ୟାସ କରାଗଲା। ଭଦ୍ରା ସାହିରୁ ସେରେଣ୍ଡା ପର୍ଯ୍ୟନ୍ତ ୩.୭ କିଲୋମିଟର, ସେରେଣ୍ଡାରୁ ବଲାଣି ପର୍ଯ୍ୟନ୍ତ ୬.୩ କିଲୋମିଟର ଏବଂ ସେରେଣ୍ଡାରୁ ନଲ୍ଦା ପର୍ଯ୍ୟନ୍ତ ହେଉଛି ୮.୩ କିଲୋମିଟର । ଆଧୁନିକ ଡିଜାଇନ୍ ଅନୁଯାୟୀ ଦିନକୁ ୪୦ ହଜାର ପାସେଞ୍ଜର କାର ଗଲାପରି ସଡକ ନିର୍ମାଣ ହେବାର ଆବଶ୍ୟକତା ରହିଛି। ଏହି ରିଂ-ରୋଡ୍ରେ ଏତିକି ଗାଡି ଚଳାଚଳ କରିବାର କାପାସିଟି ରହିଛି। ବର୍ତ୍ତମାନ ଦିନକୁ ସର୍ବାଧିକ ୧୫ ହଜାର ୩୭୫ ପାସେଞ୍ଜର କାର୍ ଯାଉଛି। ଆଗାମୀ ଦିନରେ ଏହି ରିଂ-ରୋଡ୍ ସମ୍ପୂର୍ଣ୍ଣ ହେବା ପରେ, ଏଥିରେ ୪୦ ହଜାର କାର୍ ଯିବାର କାପାସିଟି ରହିବ। ଏହା ଦ୍ୱାରା ବଡବିଲ୍ ସହରର କଳେବର ମଧ୍ୟ ବୃଦ୍ଧିହେବ। ରିଂ-ରୋଡ୍ର ଉଭୟ ପାର୍ଶ୍ବରେ ଅଧିକ ହାଉସିଂ କଲୋନୀ ଗଢିଉଠିବ ଓ ଇକୋନୋମିକ୍ ଆକ୍ଟିଭିଟି ମଧ୍ୟ ବଢିବ। ଯେଉଁ ଗାଡିଗୁଡିକ ଏହି ରୁଟ୍ରେ ଅପରେଟ୍ କରିବ ତାଙ୍କର ଅପରେଟିଙ୍ଗ ଖର୍ଚ୍ଚ ମଧ୍ୟ କମିବ ଏବଂ ଏହାଦ୍ବାରା ଆମର ଅର୍ଥନୀତିକୁ ମଧ୍ୟ ଏହାର ଏକ ବଡ ଅବଦାନ ରହିବ ବୋଲି ସେ କହିଛନ୍ତି।
ଏଥିସହିତ ଆଜି ୯୫ କୋଟି ଟଙ୍କା ବିନିଯୋଗରେ ୧୦ କିଲୋମିଟର ଦୀର୍ଘ ବାମ୍ୱେରୀ – ପଲାସା – ଗୁରୁଡା – କୋଇଡା ସଡ଼କ ପାଇଁ ଶିଳାନ୍ୟାସ କରାଗଲା। ଏହା ସହିତ ସୁଆକଟି – ଡୁବୁନା – କାଳିମାଟି ସାଢ଼େ ସାତ କିଲୋମିଟର ସଡ଼କ ପାଇଁ ଶିଳାନ୍ୟାସ କରାଗଲା। ଏଥିପାଇଁ ୩୦ କୋଟି ଟଙ୍କା ବିନିଯୋଗ ହେବ। ଏହାସହିତ ପଳାଶପଙ୍ଗା ଠାରୁ ବାମ୍ୱେରୀ ପର୍ଯ୍ୟନ୍ତ KIDCO Road ର ମଧ୍ୟ ଉନ୍ନତିକରଣ ହେବ। ସାଢ଼େ ପାଞ୍ଚ କିଲୋମିଟର ଦୀର୍ଘ ଏହି ରାସ୍ତାର ଉନ୍ନତିକରଣ ପାଇଁ ୩୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ବଡବିଲ ଉତ୍ସବ ପଡ଼ିଆରେ କ୍ରୀଡା ଭିତ୍ତିଭୂମି ସହିତ ବସ ଷ୍ଟାଣ୍ଡର ଉନ୍ନତିକରଣ କାର୍ଯ୍ୟର ଉଦଘାଟନ ମଧ୍ୟ କରାଯାଇଛି। ଏଥିପାଇଁ ୯.୨୭ କୋଟି ଟଙ୍କା ବିନିଯୋଗ କରାଯାଇଛି। ଏହା ସହିତ ବଡବିଲ ITI staff quarters, new sub registrar office, town hall ନିକଟରେ ଖେଳପଡିଆର ଉନ୍ନତିକରଣ ଓ ପାର୍କ ପ୍ରତିଷ୍ଠା କରାଯାଇଛି।