ବଲାଙ୍ଗିର: ବଲାଙ୍ଗୀର ଜିଲ୍ଲା ସୁଣ୍ଢିମୁଣ୍ଡା ଗ୍ରାମ ନିକଟ ଭବାନୀପାଟଣା-ଖରିଆର ରାଜ୍ୟ ରାଜପଥରେ ମଙ୍ଗଳବାର ଦିନ ଏକ ଦମ୍ପତିଙ୍କ ଚଳନ୍ତା କାରରେ ହଠାତ୍ ନିଆଁ ଲାଗିଯାଇଥିଲା।
ସୂଚନା ଅନୁଯାୟୀ, ସକାଳ ପ୍ରାୟ ୧୧ଟା ସମୟରେ ସ୍ୱାମୀ-ସ୍ତ୍ରୀ କୌଣସି କାମ ପାଇଁ ଭବାନୀପାଟଣାରୁ ନୂଆପଡା ଜିଲ୍ଲାର ଖରିଆରକୁ ଯାତ୍ରା କରୁଥିବା ସମୟରେ ଏହି ଅଘଟଣ ଘଟିଥିଲା। ତେବେ ସେମାନେ ତୁରନ୍ତ ଗାଡ଼ିଟିକୁ ରାସ୍ତା କଡ଼ରେ ରଖି ବାହାରକୁ ବାହାରି ଆସିଥିଲେ।
ସ୍ଥାନୀୟ ଲୋକମାନେ ଘଟଣା ସମ୍ପର୍କରେ ଜାଣିପାରି ସେମାନଙ୍କୁ ସାହାଯ୍ୟ କରିବାକୁ ଦୌଡ଼ି ଆସିଥିଲେ। ପରେ ସିନ୍ଧେକେଲା ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ସୂଚନା ଦିଆଯାଇଥିଲା।
ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ, କିନ୍ତୁ ସେତେବେଳକୁ କାରଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା।
ତେବେ ପ୍ରାଥମିକ ତଦନ୍ତରୁ ସର୍ଟସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ନେଇ ଅନୁମାନ କରାଯାଉଛି। ଅପରପକ୍ଷରେ ସିନ୍ଧେକେଲା ପୋଲିସ ଘଟଣାର ସଠିକ୍ କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି।