ନୂଆଦିଲ୍ଲୀ: ଶୁକ୍ରବାର ରାତିରେ ଲୋକସଭାରେ ମହିଳା ସଂରକ୍ଷଣ ସମ୍ବନ୍ଧିତ ସମ୍ବିଧାନ ସଂଶୋନ ବିଧେୟକ କାଟ୍ ଖାଇଛି । ଯାହାକୁ ନେଇ ଆଜି ଶନିବାର ରାତିରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମୟରେ ସେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି । ନାରୀଶକ୍ତିକୁ କିପରି ରୋକାଯାଉଛି ଦେଶବାସୀ ଦେଖିଲେ ବୋଲି ମୋଦି କହିଛନ୍ତି ।
ବିରୋଧୀ ମହିଳା ଆରକ୍ଷଣ ବିଲକୁ ବିରୋଧ କରି ବିରୋଧୀମାନେ ପାପ କରିଛନ୍ତି । ବିରୋଧୀମାନେ ନାରୀଙ୍କ ସ୍ବପ୍ନକୁ ପୂରଣ ହେବାକୁ ଦେଲେନାହିଁ । ରାଜନୈତିକ ସ୍ବାର୍ଥ ପାଇଁ ମହିଳାଙ୍କ କ୍ଷତି ହେଲା । ବିରୋଧୀମାନେ ଯେଉଁ ପାପ କରିଛନ୍ତି ପରିଣାମ ମିଳିବ । କଂଗ୍ରେସ, ଡିଏମକେ, ଟିଏମସି ଏବଂ ସମାଜବାଦୀ ପାର୍ଟି ଭଳି ଦଳଗୁଡ଼ିକର ସ୍ୱାର୍ଥପର ରାଜନୀତିର କ୍ଷତି ଦେଶର ମହିଳାମାନଙ୍କୁ ସହିବାକୁ ପଡ଼ିଛି।” କଂଗ୍ରେସ, ସମାଜବାଦୀ ପାର୍ଟିକୁ କ୍ଷମା କରିବେନି ଲୋକେ ବୋଲି ମୋଦି କହିଛନ୍ତି ।
କେନ୍ଦ୍ର ସରକାର ଲୋକସଭାରେ ସମ୍ବିଧାନର ୧୩୧ତମ ସଂଶୋଧନ ବିଲ୍ ପାସ୍ କରାଇପାରିଲେ ନାହିଁ । ଯାହା ଲୋକସଭାରେ ଆସନ ବୃଦ୍ଧି କରିବା ପାଇଁ ଅଣାଯାଇଥିଲା । ଏଥିରେ ସଂସଦର ଆସନ ୫୪୩ରୁ ୮୫୦ କୁ ବୃଦ୍ଧି କରିବାର ବ୍ୟବସ୍ଥା ଥିଲା । ୨୧ ଘଣ୍ଟା ଆଲୋଚନା ପରେ ଲୋକସଭାରେ ବିଲ୍ ଉପରେ ଭୋଟିଂ ହୋଇଥିଲା । ୫୨୮ ଜଣ ସାଂସଦ ସେମାନଙ୍କର ଭୋଟ ଦେଇଥିଲେ । ସପକ୍ଷରେ ୨୯୮ ଜଣ ଭୋଟ ଦେଇଥିବାବେଳେ ବିପକ୍ଷରେ ୨୩୦ ଜଣ ଭୋଟ ଦେଇଥିଲେ । ତଥାପି, ବିଲ୍ ପାସ୍ କରିବା ପାଇଁ ଦୁଇ-ତୃତୀୟାଂଶ ବହୁମତ ଆବଶ୍ୟକ ଥିଲା ।
ସରକାର ଲୋକସଭାରେ ତିନୋଟି ବିଲ୍ ଆଗତ କରିଥିଲେ। ଏଥିରେ ସମ୍ବିଧାନ ସଂଶୋଧନ ବିଲ୍, ସମ୍ବିଧାନ ବିଲ୍ ୨୦୨୬ର ସୀମା ନିର୍ଦ୍ଧାରଣ ସଂଶୋଧନ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଆଇନ ବିଲ୍ ୨୦୨୬ ଅନ୍ତର୍ଭୁକ୍ତ ।