ମୁମ୍ବାଇ: ବଲିଉଡର ଚୁଲବୁଲି ଅଭିନେତ୍ରୀ ବିଦ୍ୟା ବାଲନ୍ । ଯାହାଙ୍କ ପାଇଁ ଅଭିନୟ କେବଳ ଏକ ପେଶା ନୁହେଁ, ବରଂ ଏକ ନିଶା । ନିଜ କ୍ୟାରିୟର ମଧ୍ୟରେ ସେ ଅନେକ ଚ୍ୟାଲେଞ୍ଜିଂ ଭୂମିକା ଗ୍ରହଣ କରିଛନ୍ତି ଏବଂ ପ୍ରତିଟି ଚରିତ୍ରକୁ ପରଦା ଉପରେ ଜୀବନ୍ତ କରି ଗଢ଼ି ତୋଳିଛନ୍ତି। ଆଜି ଆମେ ଆପଣଙ୍କୁ ଜଣାଇବୁ କିପରି ଭାଷାର ସୀମା ଅତିକ୍ରମ କରି ବିଦ୍ୟା ସାଜିଛନ୍ତି ଭାରତୀୟ ସିନେମାର ଜଣେ ଅପ୍ରତିଦ୍ୱନ୍ଦ୍ୱୀ ନାୟିକା।
ବଲିଉଡର ଦକ୍ଷ ଅଭିନେତ୍ରୀ ବିଦ୍ୟା ବାଲନ୍ଙ୍କ ଖାସିୟତ ହେଉଛି, ସେ କେବେ ବି ଭାଷାକୁ ନିଜ କାମରେ ବାଧା ହେବାକୁ ଦେଇନାହାନ୍ତି। ହିନ୍ଦୀ ଚଳଚ୍ଚିତ୍ର ହେଉ କିମ୍ବା ବିଭିନ୍ନ ଆଞ୍ଚଳିକ ଭାଷା, ପ୍ରତିଟି ସଂଳାପକୁ ସେ ସେତିକି ସହଜତାର ସହ ଉପସ୍ଥାପନ କରନ୍ତି, ଯାହା ଶୁଣିଲେ ମନେହୁଏ ଏହା ହିଁ ତାଙ୍କର ମାତୃଭାଷା। ତାଙ୍କର ଡାଏଲଗ୍ ଡେଲିଭରୀ ଏବଂ ଭାବପ୍ରବଣତା ତାଙ୍କୁ ଅନ୍ୟ କଳାକାରଙ୍କଠାରୁ ସମ୍ପୂର୍ଣ୍ଣ ଅଲଗା ପରିଚୟ ଦେଇଛି।
ଛୋଟ ସହରର ଜଣେ ସାଧାରଣ ମହିଳା ହେଉ କିମ୍ବା ସମାଜର କୁସଂସ୍କାରକୁ ଭାଙ୍ଗୁଥିବା ଜଣେ ସଶକ୍ତ ନାରୀ, ବିଦ୍ୟା ପ୍ରତିଟି ଭୂମିକାକୁ ସମ୍ପୂର୍ଣ୍ଣ ନିଷ୍ଠାର ସହ ନିଭାଇଥାନ୍ତି। ସେଥିପାଇଁ ତ ଦର୍ଶକମାନେ ତାଙ୍କ ସହ ନିଜକୁ ଯୋଡ଼ିପାରନ୍ତି। ବିଦ୍ୟାଙ୍କ ମତରେ, ସିନେମା କେବଳ ସଂଳାପର ମାଧ୍ୟମ ନୁହେଁ, ବରଂ ଏହା ହେଉଛି ଭାବନା ବା ଇମୋସନର ଏକ ସାର୍ବଜନୀନ ଭାଷା।
ବିଦ୍ୟାଙ୍କ ନିଖୁଣ ଅଭିନୟ କେତେ ପ୍ରଭାବଶାଳୀ, ନିକଟରେ ତାହା ପ୍ରକାଶ କରିଛନ୍ତି ଅକ୍ଷୟ କୁମାର। ଅକ୍ଷୟ ନିକଟରେ ତାଙ୍କ ପୁଅ ଆରଭଙ୍କ ବିଷୟରେ କିଛି ରୋଚକ କଥା ଶେୟାର କରିଛନ୍ତି। ସେ କହିଛନ୍ତି ଯେ, ‘ଭୁଲ୍ ଭୁଲୈୟା’ ଚଳଚ୍ଚିତ୍ରରେ ବିଦ୍ୟା ବାଲନଙ୍କୁ ଦେଖିବା ପରେ ତାଙ୍କ ପୁଅ ବହୁତ ଡରି ଯାଇଥିଲେ। ୨୦୦୭ରେ ମୁକ୍ତିଲାଭ କରିଥିବା ଅକ୍ଷୟ ଏବଂ ବିଦ୍ୟାଙ୍କର ଏହି ସୁପରହିଟ୍ ଫିଲ୍ମରେ ବିଦ୍ୟା ‘ମଞ୍ଜୁଲିକା’ ଚରିତ୍ରରେ ନଜର ଆସିଥିଲେ, ଯାହାଙ୍କର ପ୍ରଭାବଶାଳୀ ଅଭିନୟ ଦର୍ଶକଙ୍କ ମନରେ ଛନକା ପଶାଇ ଦେଇଥିଲା। ଅକ୍ଷୟ କରିଛନ୍ତି ଯେ, ଏହି ଡର ଯୋଗୁଁ ଆରଭ ପ୍ରାୟ ଛଅ ବର୍ଷ ପର୍ଯ୍ୟନ୍ତ ବିଦ୍ୟାଙ୍କ ସହ କଥା ହୋଇନଥିଲେ।
ଆଜି ଯେତେବେଳେ ଭାରତୀୟ ସିନେମା ବିଶ୍ୱ ଦରବାରରେ ନିଜର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି, ସେତେବେଳେ ବିଦ୍ୟା ବାଲନ୍ଙ୍କ ଭଳି କଳାକାର ଏଥିରେ ଏକ ମୁଖ୍ୟ ଅଂଶ ସାଜିଛନ୍ତି। ତାଙ୍କର କାମ ପ୍ରମାଣ କରେ ଯେ ଅଭିନୟର କୌଣସି ନିର୍ଦ୍ଦିଷ୍ଟ ଭାଷା ନଥାଏ, ଏହା ସିଧା ସଳଖ ହୃଦୟ ସହ ଯୋଡ଼ି ହେବାର ଏକ କଳା।