କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (୧୯ ଏପ୍ରିଲ) ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ଝାରଗ୍ରାମ ପହଞ୍ଚିଥିଲେ। ତାଙ୍କ ଗସ୍ତ ସମୟରେ ସେ ହଠାତ୍ ରାସ୍ତା କଡ଼ରେ ଥିବା ଏକ ଝାଲମୁଢ଼ି ଦୋକାନରେ ଅଟକିଗଲେ। ସେ ସେଠାରେ “ଝାଲମୁଢି” ଖାଇଲେ। ଏହି ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହି ପ୍ରସଙ୍ଗକୁ ନେଇ ଏବେ ରାଜନୀତି ଆରମ୍ଭ ହୋଇଛି। ତୃଣମୂଳ କଂଗ୍ରେସ (ଟିଏମସି) ଅଭିଯୋଗ କରିଛି ଯେ ପ୍ରଧାନମନ୍ତ୍ରୀଙ୍କ ହଠାତ୍ ଝାଲମୁଢ଼ି ବ୍ରେକ୍ ଯୋଗୁଁ ରବିବାର ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଏବଂ ତାଙ୍କ ପତ୍ନୀଙ୍କୁ ଝାରଗ୍ରାମରେ ସେମାନଙ୍କର ହେଲିକପ୍ଟର ଅବତରଣ କରିବାକୁ ଅନୁମତି ଦିଆଯାଇନଥିଲା।
ଦଳ କହିଛି ଯେ ସୋରେନ୍ ଏବଂ ବିଧାୟକ କଳ୍ପନା ସୋରେନ୍ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ବାଧ୍ୟ ହୋଇଥିଲେ ଏବଂ ଶେଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଝାଲମୁଢି ଖାଇବା ଯୋଗୁଁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ରାଞ୍ଚି ଫେରିବାକୁ ବାଧ୍ୟ ହୋଇଥିଲେ।
ଟିଏମସି ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟ ସେୟାର କରି ଅଭିଯୋଗ କରିଛି ଯେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଯୋଗୁଁ ସୁରକ୍ଷା କଡାକଡି କରାଯାଇଥିଲା। ଏହି କାରଣରୁ ସୋରେନ୍ ଦମ୍ପତିଙ୍କୁ ଝାରଗ୍ରାମରେ ଅବତରଣ କରିବାକୁ ଅନୁମତି ଦିଆଯାଇ ନଥିଲା। ଦଳ ଅନୁଯାୟୀ, ଦୁଇ ନେତାଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଲା ଏବଂ ଶେଷରେ ସେମାନଙ୍କୁ ସେମାନଙ୍କର କାର୍ଯ୍ୟକ୍ରମ ବାତିଲ କରି ରାଞ୍ଚି ଫେରିବାକୁ ପଡ଼ିଲା।
ସୂଚନା ଥାଉକି ପ୍ରଧାନମନ୍ତ୍ରୀ ମୋଦି ଝାଲମୁଢି ତିଆରି କରିଥିବା ବିକ୍ରମ ଶଙ୍କ ଠାରୁ ଝାଲମୁଢି ଖାଇଥିଲେ ଏବଂ ବହୁତ ପ୍ରଶଂସା ମଧ୍ୟ କରିଥିଲେ। ଏପରିକି ମୋଦି ବିକ୍ରମଙ୍କୁ ତାଙ୍କ ପରିବାର ଲୋକଙ୍କ ବିଷୟରେ ମଧ୍ୟ ପଚାରିଥିଲେ। ଏହି ଦୃଶ୍ୟ ଦେଖିଥିବା ସବୁ ଲୋକ ଆଶ୍ଚର୍ଯ୍ୟ ଏବଂ ଆନନ୍ଦିତ ହୋଇଥିଲେ। ସବୁକିଛି ଏତେ ସୁନ୍ଦର ଥିଲା ଯେ ତାଙ୍କ ଚାରିପାଖରେ ଥିବା ଲୋକମାନେ ତାଳି ମାରିବାକୁ ଲାଗିଥିଲେ। କିନ୍ତୁ ଯେତେବେଳେ ପ୍ରଧାନମନ୍ତ୍ରୀ ଚାଲିଗଲେ, ବିକ୍ରମ ଅନୁଭବ କଲେ ଯେ ସେ ସବୁଠାରୁ ବଡ଼ ସୁଯୋଗ ହରାଇଛନ୍ତି। ଯାହା ଆଉ କେବେ ଆସିବ ନାହିଁ। ଏନେଇ ସେ କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀଙ୍କ ଅଟୋଗ୍ରାଫ୍ ନେଇପାରିଲି ନାହିଁ । ବର୍ତ୍ତମାନ ଏହି ଅନୁତାପ ତାଙ୍କ ଜୀବନର ଏକ ଅଂଶ ପାଲଟିଛି।