ରାୟପୁର:ସୋମବାର ଛତିଶଗଡ଼ର ଜଶପୁର ଜିଲ୍ଲାରେ ଏକ ଘରୋଇ ବିମାନ ପାହାଡ଼ରେ ଖସିପଡ଼ିବା ଖବରକୁ ଜିଲ୍ଲା ପ୍ରଶାସନ ଖାରଜ କରିଦେଇଛି। ଜଶପୁର କଲେକ୍ଟର ରୋହିତ ବ୍ୟାସ ଏବଂ ଏସ୍ଏସ୍ପି ଡକ୍ଟର ଲାଲ ଉମେଦ ସିଂହ ଘଟଣାସ୍ଥଳ ଯାଞ୍ଚ କରିବା ପରେ କହିଛନ୍ତି ଯେ ଏହି ଖବରଟି ଏକ ଗୁଜବ। ସେମାନେ କହିଛନ୍ତି ଯେ ଚାର୍ଟର ବିମାନ ଦୁର୍ଘଟଣାର କୌଣସି ପ୍ରମାଣ ମିଳିନାହିଁ ।
ଜଶପୁର କଲେକ୍ଟର ରୋହିତ ବ୍ୟାସ କହିଛନ୍ତି,”ବିମାନ ଦୁର୍ଘଟଣାର ଖବର ପାଇବା ପରେ ଆମେ ଘଟଣାସ୍ଥଳରେ ପହଞ୍ଚିଛୁ। ସମଗ୍ର ଜଙ୍ଗଲରେ ସନ୍ଧାନ ଜାରି ରହିଛି। ଏପର୍ଯ୍ୟନ୍ତ କୌଣସି ସ୍ଥାନରେ ଏପରି କୌଣସି ବସ୍ତୁ ମିଳିନାହିଁ। ଝାଡ଼ଖଣ୍ଡ, କୋଲକାତା, ଭୁବନେଶ୍ୱର ATC ରୁ ମଧ୍ୟ ସୂଚନା ମିଳିଛି ଯେ କୌଣସି ବିମାନ କିମ୍ବା ହେଲିକପ୍ଟର ନିଖୋଜ ହୋଇନାହିଁ।”
ତଦନ୍ତ ସମୟରେ, ସେ ଜନସାଧାରଣଙ୍କଠାରୁ ସୂଚନା ମଧ୍ୟ ସଂଗ୍ରହ କରିଥିଲେ, କିନ୍ତୁ ଏପର୍ଯ୍ୟନ୍ତ କୌଣସି ଗ୍ରାମବାସୀ ବିସ୍ଫୋରଣ ଶୁଣିଥିବାର ରିପୋର୍ଟ କରିନାହାଁନ୍ତି, ଏବଂ କୌଣସି ପ୍ରମାଣ ମିଳିନାହିଁ। ସେ କହିଛନ୍ତି ଯେ ପୋଲିସ, ଜିଲ୍ଲା ଏବଂ ବନ ବିଭାଗର ଦଳ ଡ୍ରୋନ କ୍ୟାମେରା ମାଧ୍ୟମରେ ଅଞ୍ଚଳ ଉପରେ ନଜର ରଖୁଛନ୍ତି।
ଜିଲ୍ଲା ପ୍ରଶାସନ ସାଧାରଣ ଲୋକଙ୍କୁ ସୋସିଆଲ ମିଡିଆ କିମ୍ବା ଯାଞ୍ଚ ନ ହୋଇଥିବା ଖବର ଉପରେ ବିଶ୍ୱାସ ନ କରିବାକୁ ନିବେଦନ କରିଛି। ଯଦି କେହି ଗୁଜବ ପ୍ରଚାର କରନ୍ତି, ତେବେ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇପାରିବ ବୋଲି ପ୍ରଶାସନ କହିଛି।