ନୂଆଦିଲ୍ଲୀ: ଆଧାର କାର୍ଡ ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ଖବର । ଯଦି ଆପଣଙ୍କ ଆଧାର କାର୍ଡକୁ ୧୦ ବର୍ଷରୁ ଅଧିକ ସମୟ ହୋଇଗଲାଣି, ତେବେ ଏହି ଖବରଟି କେବଳ ଆପଣଙ୍କ ପାଇଁ । UIDAI ପକ୍ଷରୁ ଆଧାର ଅପଡେଟ୍କୁ ନେଇ ଜାରି ହୋଇଛି ନୂଆ ପରାମର୍ଶ ।
ଆଧାର କାର୍ଡ ଆଜିର ସମୟରେ ଆମ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପରିଚୟ ପତ୍ର । କିନ୍ତୁ ଆପଣ ଜାଣିଛନ୍ତି କି, ଯଦି ଆପଣଙ୍କ ଆଧାର କାର୍ଡ ୧୦ ବର୍ଷ ପୁରୁଣା ହୋଇଛି, ତେବେ ଏହାକୁ ଅପଡେଟ୍ କରିବା ନିହାତି ଜରୁରୀ । UIDAI ଅନୁଯାୟୀ, ଠିକଣା କିମ୍ବା ଫଟୋ ଭଳି ସୂଚନାରେ ପରିବର୍ତ୍ତନ ଆସିଥାଇପାରେ, ଯେଉଁଥିପାଇଁ ତଥ୍ୟ ଅପଡେଟ୍ କରିବାକୁ ପରାମର୍ଶ ଦିଆଯାଇଛି ।
୧୪ ଜୁନ୍ ପର୍ଯ୍ୟନ୍ତ ଏହି ସୁବିଧା ସମ୍ପୂର୍ଣ୍ଣ ମାଗଣା। କେବଳ ଅନଲାଇନ୍ ମାଧ୍ୟମରେ ମାଗଣା ଅପଡେଟ୍ ସୁବିଧା ଉପଲବ୍ଧ । ବ୍ୟାଙ୍କିଙ୍ଗ୍ ସେବା, ସରକାରୀ ଯୋଜନା ଏବଂ KYC ପ୍ରକ୍ରିୟାରେ ଯେପରି କୌଣସି ଅସୁବିଧା ନହୁଏ, ସେଥିପାଇଁ ଏହା ଅତ୍ୟନ୍ତ ଜରୁରି ।
ଏହାକୁ ଅପଡେଟ୍ କରିବା ଅତି ସହଜ । ଆପଣ “MyAadhaar” ପୋର୍ଟାଲକୁ ଯାଇ ନିଜ ଆଧାର ନମ୍ବର ସାହାଯ୍ୟରେ ଲଗ୍-ଇନ୍ କରିପାରିବେ । ଏହାପରେ ମୋବାଇଲକୁ ଆସୁଥିବା OTP ଜରିଆରେ ଯାଞ୍ଚ କରି ଆବଶ୍ୟକୀୟ ଦସ୍ତାବେଜ ଅପଲୋଡ୍ କରିବାକୁ ପଡ଼ିବ । ପରିଚୟ ପତ୍ର ଏବଂ ଠିକଣାର ପ୍ରମାଣ ପାଇଁ ଆପଣ ପ୍ୟାନ୍ କାର୍ଡ, ଭୋଟର ଆଇଡି କିମ୍ବା ରାସନ କାର୍ଡର ବ୍ୟବହାର କରିପାରିବେ ।
ତେଣୁ ଆଉ ବିଳମ୍ବ କରନ୍ତୁ ନାହିଁ, ୧୪ ଜୁନ୍ ପୂର୍ବରୁ ନିଜର ଆଧାର ଡକ୍ୟୁମେଣ୍ଟକୁ ଅପଡେଟ୍ କରି ନିଅନ୍ତୁ ଏବଂ ସମସ୍ତ ସରକାରୀ ସୁବିଧାର ଲାଭ ଉଠାନ୍ତୁ ।