ହାଇଦ୍ରାବାଦ: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଶତକ ବଳରେ ସନରାଇଜର୍ସ ହାଇଦ୍ରାବାଦ ୪୭ ରନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି । ହାଇଦ୍ରାବାଦ ଏଥିସହ ହ୍ୟାଟ୍ରିକ ବିଜୟ ହାସଲ କରିଛି । ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୨୪୩ ରନର ଲକ୍ଷ୍ୟ ଦିଲ୍ଲୀ ସମ୍ମୁଖରେ ରଖିଥିଲା । ଅଭିଷେକ ୬୮ ବଲରେ ୧୦ ଚୌକା ଓ ୧୦ ଛକା ବଳରେ ୧୩୫ ରନ କରି ଅପରାଜିତ ରହିଥିଲେ । ହେନରିକ କ୍ଲାସେନ ୩୭, ଟ୍ରେଭିସ ହେଡ ୩୭ ଓ ଈଶାନ କିଶାନ ୨୫ ରନ କରିଥିଲେ । ଜବାବରେ ଦିଲ୍ଲୀ ୨୦ ଓଭରରେ ୯ ୱିକେଟ ହରାଇ ୧୯୫ ରନ କରିଥିଲା ।
ନୀତିଶ ରାଣା ୫୭, ସମୀର ରିଜଭୀ ୪୧ ରନ କରି କିଛିଟା ସଂଘର୍ଷ କରିଥିଲେ । ହାଇଦ୍ରାବାଦ ପକ୍ଷରୁ ଈଶାନ ମାଲିଙ୍ଗ ୪ଟି ୱିକେଟ ହାସଲ କରିଥିଲେ । ପ୍ରଭାବୀ ପ୍ରଦର୍ଶନ ପାଇଁ ଅଭିଷେକ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ହାଇଦ୍ରାବାଦ ୭ ମ୍ୟାଚରୁ ୮ ପଂଏଟ ପାଇ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି । ଅପରପକ୍ଷରେ ଦିଲ୍ଲୀ ୬ ମ୍ୟାଚରୁ ୬ ପଂଏଟ ପାଇ ୫ମ ସ୍ଥାନରେ ରହିଛି । ଅଭିଷେକ ଏହି ଇନିଂସ ବଳରେ ଭାରତ ପକ୍ଷରୁ ସର୍ବାଧିକ ଟି୨୦ ଶତକ ହାସଲ କରିଥିବା ବିରାଟ କୋହଲି(୯)ଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି ।