Latest Odisha News

BREAKING NEWS

ଆଜି ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ଭୀଷଣ ଗୁଳୁଗୁଳି ହେବ, ଆସନ୍ତା ୪ ଦିନ ତାତିରୁ ନିସ୍ତାର…

ଭୁବନେଶ୍ବର: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ଲହରୀ ଜାରି ରହିଛି । ଆସନ୍ତା ୪ ଦିନ ଅର୍ଥାତ୍‌ ୨୫ ତାରିଖ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବନି । ବୁଧବାର ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ଭୀଷଣ ଗୁଳୁଗୁଳି ହେବ। ଆର୍ଦ୍ରତା ଅଧିକ ଯୋଗୁ ଗରମ ଓ ଗୁଳୁଗୁଳି ନାକେଦମ୍ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ମଙ୍ଗଳବାର ୧୫ ସହରରେ ତାପମାତ୍ରା ୪୦ ଡିଗ୍ରୀ ଟପିଛି । ଝାରସୁଗୁଡ଼ାରେ ଦିନ ତାପମାତ୍ରା ସର୍ବାଧିକ ୪୩.୬ ଡିଗ୍ରୀ ରହିଥିଲା । ସମ୍ବଲପୁର ଓ ଟିଟିଲାଗଡ଼ରେ ୪୨.୫, ହୀରାକୁଦରେ ୪୨.୪, ବଲାଙ୍ଗୀରରେ ୪୨.୨, ଅନୁଗୁଳରେ ୪୨.୧ ଓ ସୋନପୁରରେ ୪୧.୭ ଡିଗ୍ରୀ ରେକର୍ଡ ହୋଇଛି ।

୨୫ ତାରିଖ ପରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ କମିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ସେହିଭଳି ୨୨ ତାରିଖ(ବୁଧବାର)ଠାରୁ ୨୫ ତାରିଖ ଯାଏ ଦକ୍ଷିଣ ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ରହିବ । ଏହା ପ୍ରଭାବରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ହୋଇପାରେ । ୩୦ କିମି ବେଗରେ ପବନ ବି ବହିପାରେ ।
ଆସନ୍ତା ୨୪ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ପୁରୀ, ଜଗତସିଂହପୁର, ଖୋରଧା, ନୟାଗଡ଼, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ଗଜପତି ଜିଲାକୁ କାଳବୈଶାଖୀ ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।

Leave A Reply

Your email address will not be published.