ଭୁବନେଶ୍ୱର: ନକଲି ଆରଟିଓ ଇ-ଚାଲାଣ ଆଳରେ ଠକେଇ କରୁଥିବା ଏକ ବଡ଼ ସାଇବର ରାକେଟର ପର୍ଦ୍ଦାଫାଶ କରିଛି ସାଇବର ପୋଲିସ । ଏହି ଘଟଣାରେ ପାଖାପାଖି ୭ ଲକ୍ଷ ଟଙ୍କା ଠକେଇରେ ସମ୍ପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ- ମହମ୍ମଦ ଅବ୍ବାସ, ମୁକେଶ ତୁରୀ, ମହମ୍ମଦ ଅମୀର ଏବଂ ମହମ୍ମଦ ସଲମାନ ।
ପୋଲିସ ସୂତ୍ରରୁ ପ୍ରକାଶ ଯେ, ଏହି ଗ୍ୟାଙ୍ଗ ଲୋକଙ୍କ ମୋବାଇଲକୁ ଟ୍ରାଫିକ ଜରିମାନା ବାବଦରେ ନକଲି ମେସେଜ୍ ଓ ଲିଙ୍କ୍ ପଠାଇ ଲୋକଙ୍କୁ ଚୂନ ଲଗାଉଥିଲେ । ମେସେଜରେ ଲେଖା ରହୁଥିଲା ଯେ, ସେମାନଙ୍କ ନାମରେ ଏକ ଚାଲାଣ କଟିଛି ଏବଂ ଆଗାମୀ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ପାଇଁ ଲିଙ୍କରେ କ୍ଲିକ୍ କରି ତୁରନ୍ତ ଜରିମାନା ଭରନ୍ତୁ । କିନ୍ତୁ ଥରେ ଲିଙ୍କରେ କ୍ଲିକ୍ କଲେ, ସାଇବର ଠକମାନେ କ୍ଷଣକ ଭିତରେ ବ୍ୟାଙ୍କ ଆକାଉଣ୍ଟର ସମସ୍ତ ତଥ୍ୟ ହାସଲ କରି ନେଉଥିଲେ ଏବଂ ଆକାଉଣ୍ଟରୁ ଟଙ୍କା ଗାଏବ କରି ଦେଉଥିଲେ ।
ଏହି ସାଇବର ଅପରାଧୀମାନେ ଏକାଧିକ ରାଜ୍ୟରେ ନିଜର ଚେର ଲମ୍ବେଇଥିବା ତଦନ୍ତରୁ ଜଣାପଡିଛି । ଝାଡ଼ଖଣ୍ଡରୁ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ହାଇଦ୍ରାବାଦର ସାଙ୍ଗାରେଡ୍ଡୀରୁ ଅନ୍ୟ ଦୁଇ ଜଣ ଧରାପଡ଼ିଛନ୍ତି । ଏହି ରାକେଟ୍ ଦୀର୍ଘ ଦିନ ଧରି ସକ୍ରିୟ ଥିଲା ଏବଂ ସମାନ କୌଶଳରେ ଅନେକ ଲୋକଙ୍କୁ ଶିକାର କରିଥିବା ଅନୁମାନ କରାଯାଉଛି ।
ଗିରଫ ହୋଇଥିବା ଅଭିଯୁକ୍ତ ମୁକେଶ ତୁରୀ କହିଛି, “ମୁଁ ୫-୬ ମାସ ପୂର୍ବେ ଏହି କାମ ଆରମ୍ଭ କରିଥିଲି । ଲୋଭର ବଶବର୍ତ୍ତୀ ହୋଇ ମୁଁ ଏଥିରେ ସାମିଲ ହୋଇଥିଲି।” ସେ ଆହୁରି ମଧ୍ୟ ସୂଚନା ଦେଇଛି ଯେ, ‘ରାଜକୁମାର’ ନାମକ ଜଣେ ବ୍ୟକ୍ତି ତାଙ୍କର ମୁଖ୍ୟ ଥିଲା ଏବଂ ସେ ହିଁ ସେମାନଙ୍କୁ ଏହି ସାଇବର ଠକେଇର କୌଶଳ ଶିଖାଇଥିଲା ।
ଗିରଫଦାରୀ ପରେ ପୋଲିସକୁ ଏହି ଡିଜିଟାଲ ଠକେଇ ନେଟୱର୍କର ଏକ ସୁଚିନ୍ତିତ ଯୋଜନା ବିଷୟରେ ଅନେକ ନୂଆ ତଥ୍ୟ ମିଳିଛି । ସନ୍ଦେହଜନକ ଲିଙ୍କ, ବିଶେଷ କରି ଜରିମାନା ପୈଠ କରିବାକୁ ଦାବି କରୁଥିବା ଲିଙ୍କରେ କ୍ଲିକ୍ ନକରିବାକୁ ଅଧିକାରୀମାନେ ଜନସାଧାରଣଙ୍କୁ ସତର୍କ କରାଇଛନ୍ତି । ସାଇବର ପୋଲିସ ବର୍ତ୍ତମାନ ଏହି ଘଟଣାର ଅଧିକ ତଦନ୍ତ କରୁଛି ।