Latest Odisha News

BREAKING NEWS

୨୬ ନିରୀହ ପର୍ଯ୍ୟଟକଙ୍କୁ ହତ୍ୟା କରିଥିଲେ ଆତଙ୍କବାଦୀ: ବର୍ଷେ ପରେ ବି କାହିଁକି ମିଳୁନି ସୁରକ୍ଷା ତ୍ରୁଟିର ଜବାବ?

ନୂଆଦିଲ୍ଲୀ: କାଶ୍ମୀରର ପହଲଗାମ୍‌ଠାରେ ହୋଇଥିବା ଭୟାବହ ଆତଙ୍କବାଦୀ ଆକ୍ରମଣକୁ ଗୋଟିଏ ବର୍ଷ ପୂରଣ ହୋଇଛି। ୨୨ ଏପ୍ରିଲ ୨୦୨୫ ତାରିଖରେ ଘଟିଥିବା ଏହି ରକ୍ତାକ୍ତ ଘଟଣା କେବଳ ଭାରତ ନୁହେଁ, ବରଂ ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଦେଇଥିଲା। ଏହି ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବା ସହ ଆନ୍ତର୍ଜାତିକ ମହଲରେ ମଧ୍ୟ ବିଭାଜନ ଦେଖିବାକୁ ମିଳିଥିଲା। ଆଜି ବି ସେହି କଳା ଦିନକୁ ମନେ ପକାଇଲେ ଲୋକଙ୍କ ଲୋମ ଟାଙ୍କୁରି ଉଠେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକ୍ରମଣରେ ନିହତ ହୋଇଥିବା ନିରୀହ ପର୍ଯ୍ୟଟକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ନିଜ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲ୍‌ରେ ଲେଖିଛନ୍ତି, “ଗତ ବର୍ଷ ଆଜିର ଦିନରେ ପହଲଗାମ୍‌ର ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ନିରୀହ ଲୋକଙ୍କୁ ସ୍ମରଣ କରୁଛି। ସେମାନଙ୍କୁ କେବେ ବି ଭୁଲିହେବ ନାହିଁ। ଶୋକସନ୍ତପ୍ତ ପରିବାରଗୁଡ଼ିକ ଏହି ଅପୂରଣୀୟ କ୍ଷତିର କିପରି ମୁକାବିଲା କରୁଥିବେ, ସେ କଥା ଭାବି ମୁଁ ବ୍ୟଥିତ। ଏକ ରାଷ୍ଟ୍ର ଭାବରେ ଆମେ ଶୋକ ଏବଂ ସଂକଳ୍ପରେ ଏକଜୁଟ୍ ହୋଇ ଛିଡ଼ା ହୋଇଛୁ। ଭାରତ କେବେହେଲେ ଆତଙ୍କବାଦ ଆଗରେ ମୁଣ୍ଡ ନୁଆଁଇବ ନାହିଁ ଏବଂ ଆତଙ୍କବାଦୀଙ୍କ ଷଡ଼ଯନ୍ତ୍ର କେବେ ସଫଳ ହେବ ନାହିଁ।”

ଗତ ବର୍ଷ ଏପ୍ରିଲ ୨୨ ତାରିଖରେ କାଶ୍ମୀରର ପହଲଗାମ୍ ଅନ୍ତର୍ଗତ ବୈସରଣ ଉପତ୍ୟକାରେ ବୁଲୁଥିବା ନିରୀହ ପର୍ଯ୍ୟଟକଙ୍କ ଉପରେ ଆଖିବୁଜା ଗୁଳିମାଡ଼ କରିଥିଲେ ଆତଙ୍କବାଦୀ। ଏଥିରେ ମୋଟ ୨୬ ଜଣଙ୍କର ପ୍ରାଣହାନୀ ଘଟିଥିଲା। ଗୁଳି ଚଳାଇବା ପୂର୍ବରୁ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଧର୍ମ ପଚାରି ବୁଝିଥିଲେ। ଏପରିକି ଯେଉଁମାନଙ୍କୁ ସେମାନେ ଜୀବିତ ଛାଡ଼ିଥିଲେ, ସେମାନଙ୍କୁ କହିଥିଲେ ଯେ, “ଯାଇ ମୋଦୀକୁ କହିବ…”।

ଏହି ଭୟଙ୍କର ଆକ୍ରମଣକୁ ଗୋଟିଏ ବର୍ଷ ବିତିଯାଇଥିଲେ ସୁଦ୍ଧା, ସୁରକ୍ଷା ବ୍ୟବସ୍ଥାରେ ରହିଥିବା ସାଂଘାତିକ ତ୍ରୁଟିକୁ ନେଇ ଅନେକ ପ୍ରଶ୍ନର ଉତ୍ତର ଏବେ ବି ଅଧୁରା ରହିଛି:

ଗୁଇନ୍ଦା ବିଭାଗର ସୂଚନା ସତ୍ତ୍ୱେ କାହିଁକି ଅବହେଳା? ଆକ୍ରମଣ ପୂର୍ବରୁ ଗୁଇନ୍ଦା ବିଭାଗ ପକ୍ଷରୁ ବାରମ୍ବାର ବିପଦର ଆଶଙ୍କା କରାଯାଇଥିଲା। ଏପ୍ରିଲ ୮ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କାଶ୍ମୀରର ସୁରକ୍ଷା ନେଇ ଏକ ଉଚ୍ଚସ୍ତରୀୟ ବୈଠକ ମଧ୍ୟ କରିଥିଲେ। ତଥାପି ପର୍ଯ୍ୟାପ୍ତ ସୁରକ୍ଷା କାହିଁକି ଦିଆଗଲା ନାହିଁ?

ସୁରକ୍ଷାକର୍ମୀଙ୍କ ଅନୁପସ୍ଥିତି: ଆକ୍ରମଣ ସମୟରେ ଘଟଣାସ୍ଥଳରେ ପୋଲିସ କିମ୍ବା ସୁରକ୍ଷାକର୍ମୀ କାହିଁକି ନଥିଲେ ଏବଂ ଆକ୍ରମଣର ଦୀର୍ଘ ସମୟ ପର୍ଯ୍ୟନ୍ତ କେହି କାହିଁକି ପହଞ୍ଚିନଥିଲେ?

ଏନଆଇଏ ତଦନ୍ତର ତଥ୍ୟ: ଏନଆଇଏ ତଦନ୍ତରୁ ଜଣାପଡ଼ିଛି ଯେ, ଆକ୍ରମଣର ଦୁଇ ଦିନ ପୂର୍ବରୁ ହିଁ ଅତିକମରେ ୩ ଜଣ ଆତଙ୍କବାଦୀ ବୈସରଣ ଉପତ୍ୟକାରେ ପହଞ୍ଚି ସାରିଥିଲେ। ଫୈଜଲ ଜାଟ୍ ଓରଫ୍ ସୁଲେମାନ ନାମକ ଆତଙ୍କବାଦୀ ୨୦୨୩ରେ ଜାମ୍ମୁ-କାଶ୍ମୀରରେ ପ୍ରବେଶ କରିଥିଲା ଏବଂ ୨୦୨୪ ଅକ୍ଟୋବରରେ ଜେଡ୍-ମୋର୍ହ (Z-Morh) ଆକ୍ରମଣରେ ମଧ୍ୟ ସାମିଲ ଥିଲା। ସେ ଏତେ ଦିନ ଧରି କିପରି ଖସି ବୁଲୁଥିଲା?

ଗତ ବର୍ଷ ଏପ୍ରିଲ ୨୪ରେ ସର୍ବଦଳୀୟ ବୈଠକରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଜଣାଇଥିଲା ଯେ, ପୋଲିସର ବିନା ଅନୁମତିରେ ବୈସରଣ ଉପତ୍ୟକାକୁ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଥିଲା। ଯଦି ଏହା ସତ, ତେବେ ଏଥିପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ?

ସିଆରପିଏଫ (CRPF) କୁ କାହିଁକି ହଟାଗଲା? ଆକ୍ରମଣସ୍ଥଳୀଠାରୁ ମାତ୍ର ୧୦ କି.ମି. ଦୂର ଲିଡରରେ ସିଆରପିଏଫ୍ କ୍ୟାମ୍ପ ରହିଛି। କିନ୍ତୁ ପର୍ଯ୍ୟଟକଙ୍କ ଗହଳି ରହୁଥିବା ବୈସରଣରୁ ଆକ୍ରମଣର ଠିକ୍ ପୂର୍ବରୁ ମୁତୟନ ଥିବା ସିଆରପିଏଫ୍ ବାହିନୀକୁ କାହିଁକି ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା?

ଧାରା ୩୭୦ ଉଚ୍ଛେଦ ପରେ ଜାମ୍ମୁ-କାଶ୍ମୀରକୁ କଡ଼ା ସୁରକ୍ଷା ବଳୟ ଭିତରେ ରଖାଯାଇଥିବା ଏବଂ ଏଠାରେ ପର୍ଯ୍ୟଟନ ଶିଳ୍ପ ବିକାଶ କରୁଥିବା ନେଇ ସରକାର ଦାବି କରିଆସୁଥିଲେ। କିନ୍ତୁ ପହଲଗାମ୍ ଆକ୍ରମଣ ଉପତ୍ୟକାର ସୁରକ୍ଷା ବ୍ୟବସ୍ଥାରେ ଥିବା ଏକ ବଡ଼ ଖାଲିସ୍ଥାନକୁ ପଦାରେ ପକାଇ ଦେଇଛି, ଯାହାର ସନ୍ତୋଷଜନକ ଉତ୍ତର ଆଜି ବି ସାଧାରଣ ଜନତାଙ୍କୁ ମିଳିପାରିନାହିଁ।

Leave A Reply

Your email address will not be published.