Latest Odisha News

BREAKING NEWS

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଅଧିକ ଭୋଟ୍ ହାରକୁ ନେଇ ଖୁସି ବ୍ୟକ୍ତ କଲେ ସିଜେଆଇ ସୂର୍ଯ୍ୟକାନ୍ତ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ, ଗୁରୁବାର ଅନୁଷ୍ଠିତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଅଧିକ ଭୋଟ୍ ହାରକୁ ନେଇ ଖୁସି ବ୍ୟକ୍ତି କରିଛନ୍ତି । ପଶ୍ଚିମବଙ୍ଗରେ ୧୫୨ଟି ଆସନ ପାଇଁ ପ୍ରଥମ ପର୍ଯ୍ୟାୟରେ ମତଦାନ ଶେଷ ହୋଇଥିବା ବେଳେ, ଏଥିରେ ମତଦାନ ହାର ୯୨.୭୨ ପ୍ରତିଶତ ରହିଛି ।

ସିଜେଆଇ ସୂର୍ଯ୍ୟକାନ୍ତ କହିଛନ୍ତି,”ଭାରତର ଜଣେ ନାଗରିକ ଭାବରେ, ମୁଁ ଭୋଟ୍ ହାର ଦେଖି ବହୁତ ଖୁସି । ଯେତେବେଳେ ଲୋକମାନେ ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରନ୍ତି, ସେତେବେଳେ ଗଣତାନ୍ତ୍ରିକ ବ୍ୟବସ୍ଥା ମଜବୁତ ହୋଇଥାଏ ।” ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଏବଂ ଜଷ୍ଟିସ୍ ବିପୁଲ ଏମ. ପାଞ୍ଚୋଲି ମଧ୍ୟ ଖଣ୍ଡପୀଠରେ ଅଛନ୍ତି । ଏହି ଖଣ୍ଡପୀଠ ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆବେଦନ ସମେତ ଅନେକ ଆବେଦନର ଶୁଣାଣି କରୁଛନ୍ତି ।

ପଶ୍ଚିମବଙ୍ଗରେ ଭୋଟର୍ ତାଲିକାରେ ସ୍ପେଶାଲ ଇନଣ୍ଟେସିଭ୍ ରିଭିଜନ ପରେ ନାମଗୁଡ଼ିକୁ ତୁରନ୍ତ ଯୋଡ଼ିବା ପାଇଁ ଆବେଦନଗୁଡ଼ିକୁ ପ୍ରାଥମିକତା ଦେବାକୁ ସୁପ୍ରିମକୋର୍ଟ ଆଜି (ଶୁକ୍ରବାର) ଆପିଲେଟ୍ ଟ୍ରିବ୍ୟୁନାଲଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୁପ୍ରିମକୋର୍ଟ, ଭୋଟର ତାଲିକାରୁ ବାଦ ପଡ଼ିଥିବା ଲୋକଙ୍କୁ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ୧୯ଟି ଆପିଲେଟ୍ ଟ୍ରିବ୍ୟୁନାଲ ସହିତ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଛନ୍ତି । ଯେଉଁଥିରେ ଭୋଟର ତାଲିକାରୁ ନାମ ବାଦ ଦେବା ସହିତ ଜଡିତ ମାମଲା ମଧ୍ୟ ରହିଛି । ଯେଉଁମାନଙ୍କର ନାମ ଭୋଟର୍ ତାଲିକାରେ ଯୋଡ଼ିବା ପାଇଁ ଜରୁରୀ ଶୁଣାଣି ଯୋଗ୍ୟ, ସେମାନଙ୍କ ପ୍ରସଙ୍ଗ ଶୁଣାଣି ପାଇଁ ସୁଯୋଗ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ, ଆପିଲେଟ୍ ଟ୍ରିବ୍ୟୁନାଲଗୁଡ଼ିକୁ କହିଛନ୍ତି ।

Leave A Reply

Your email address will not be published.