Latest Odisha News

BREAKING NEWS

ବିଧାନସଭା ନିର୍ବାଚନ: କେବେ ଆସିବ ୫ ରାଜ୍ୟର ଏକଜିଟ୍ ପୋଲ୍ ରିପୋର୍ଟ? ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚନା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ବିଧାନସଭା ନିର୍ବାଚନର ମତଦାନ ପ୍ରକ୍ରିୟା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପଶ୍ଚିମବଙ୍ଗକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ରାଜ୍ୟରେ ଭୋଟ୍ ଗ୍ରହଣ ସମ୍ପୂର୍ଣ୍ଣ ହୋଇସାରିଛି। ଲକ୍ଷ ଲକ୍ଷ ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିସାରିବା ପରେ, ଏବେ ସମସ୍ତଙ୍କ ନଜର ‘ଏକ୍‌ଜିଟ୍ ପୋଲ୍’ (Exit Poll) କିମ୍ବା ବୁଥ୍ ଫେରନ୍ତା ମତ ଉପରେ ରହିଛି। ଆସନ୍ତୁ ଜାଣିବା ଏହି ବହୁ ପ୍ରତୀକ୍ଷିତ ଏକ୍‌ଜିଟ୍ ପୋଲ୍ କେବେ ଏବଂ କେତେବେଳେ ପ୍ରକାଶ ପାଇବ।

ଆସାମ, କେରଳ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନ ପ୍ରକ୍ରିୟା ଗତ ଏପ୍ରିଲ ୯ ତାରିଖରେ ସମ୍ପୂର୍ଣ୍ଣ ହୋଇଥିଲା। ସେହିପରି ତାମିଲନାଡୁର ସମସ୍ତ ୨୩୪ଟି ଆସନ ପାଇଁ ଏପ୍ରିଲ ୨୩ ତାରିଖରେ ଗୋଟିଏ ପର୍ଯ୍ୟାୟରେ ମତଦାନ ଶେଷ ହୋଇଛି। ପଶ୍ଚିମବଙ୍ଗର ପ୍ରଥମ ପର୍ଯ୍ୟାୟରେ ୧୫୨ଟି ଆସନ ପାଇଁ ଭୋଟ୍ ଗ୍ରହଣ ସରିଥିବା ବେଳେ ଏପ୍ରିଲ ୨୯ ତାରିଖରେ ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ।

ଚଳିତ ନିର୍ବାଚନରେ ଲୋକଙ୍କ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ, ପୁଡୁଚେରୀରେ ସର୍ବାଧିକ ୮୯.୮୭% ମତଦାନ ହୋଇଥିବା ବେଳେ ଆସାମରେ ୮୫.୯୧% ଏବଂ କେରଳରେ ୭୮.୨୭% ମତଦାନ ରେକର୍ଡ କରାଯାଇଛି। ତାମିଲନାଡୁରେ ୮୪.୬୯% ଭୋଟ୍ ପଡ଼ିଥିବା ବେଳେ ପଶ୍ଚିମବଙ୍ଗର ପ୍ରଥମ ପର୍ଯ୍ୟାୟରେ ଏକ ରେକର୍ଡ ୯୨.୮୮% ବମ୍ପର ଭୋଟିଂ ହୋଇଛି।

ସାଧାରଣତଃ ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ କୌଣସି ବି ଏକ୍‌ଜିଟ୍ ପୋଲ୍ ସାର୍ବଜନୀନ କରିବା ଉପରେ ନିର୍ବାଚନ କମିଶନଙ୍କ କଡ଼ା କଟକଣା ରହିଥାଏ। ଯେପର୍ଯ୍ୟନ୍ତ ଦେଶରେ ଚାଲିଥିବା ନିର୍ବାଚନର ଶେଷ ମତଦାତା ନିଜର ଭୋଟ୍ ନଦେଇଛନ୍ତି, ସେପର୍ଯ୍ୟନ୍ତ ଏହି ଫଳାଫଳ ପ୍ରକାଶ କରାଯାଇପାରିବ ନାହିଁ। ଏହାଦ୍ୱାରା ଅନ୍ୟ ଭୋଟରଙ୍କ ମାନସିକତା ପ୍ରଭାବିତ ହେବାର ଆଶଙ୍କା ଥାଏ।

ତେଣୁ, ପଶ୍ଚିମବଙ୍ଗର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଏପ୍ରିଲ ୨୯ ତାରିଖ ସନ୍ଧ୍ୟାରେ ଶେଷ ହେବା ପରେ ହିଁ ଏକ୍‌ଜିଟ୍ ପୋଲ୍ ଫଳାଫଳ ପ୍ରକାଶ ପାଇବ। ଏପ୍ରିଲ ୨୯ ତାରିଖ ସନ୍ଧ୍ୟା ୬.୩୦ ବା ୭ଟା ପରେ ବିଭିନ୍ନ ଟିଭି ଚ୍ୟାନେଲ୍ ଏବଂ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଏହି ସର୍ଭେ ରିପୋର୍ଟ ଜାରି କରିବେ।

Leave A Reply

Your email address will not be published.