ଭୁବନେଶ୍ୱର: ରାଜଧାନୀରେ ପୁଣି ଏକ ଲଜ୍ଜାଜନକ ତଥା ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଭୁବନେଶ୍ୱର ଉପକଣ୍ଠ ଇନଫୋଭ୍ୟାଲି ଥାନା ଅନ୍ତର୍ଗତ ଗଙ୍ଗପଡ଼ା ଅଞ୍ଚଳରେ ଏକ ଲେଡିଜ୍ ହଷ୍ଟେଲ ଭିତରେ ପଶି ଜଣେ ବାହାର ରାଜ୍ୟର ଏମବିଏ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ସମ୍ବେଦନଶୀଳ ଘଟଣାରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସ୍ଥାନୀୟ ଅଞ୍ଚଳର ଜଣେ ଗ୍ରୋସରୀ ଦୋକାନୀକୁ ଗିରଫ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ପୀଡ଼ିତା ଛାତ୍ରୀ ଜଣକ ଛତିଶଗଡ଼ର ବିଳାସପୁର ଅଞ୍ଚଳର ବାସିନ୍ଦା। ସେ ଭୁବନେଶ୍ୱରର ଏକ ଶିକ୍ଷାନୁଷ୍ଠାନରେ ଏମବିଏ ପଢ଼ିବା ସହ ଗଙ୍ଗପଡ଼ା ସ୍ଥିତ ଏକ ଲେଡିଜ୍ ହଷ୍ଟେଲରେ ରହୁଥିଲେ। ଗତ ୨୪ ତାରିଖ ଦିନ ଛାତ୍ରୀଙ୍କ ରୁମ୍ମେଟ୍ କୌଣସି କାରଣରୁ ବାହାରକୁ ଯାଇଥିଲେ ଏବଂ ସେ ରୁମ୍ରେ ଏକାକୀ ଥିଲେ।
ଅଭିଯୁକ୍ତ ଦୀପକ ପ୍ରଧାନର ଘର ସେହି ଗଙ୍ଗପଡ଼ା ଅଞ୍ଚଳରେ। ଉକ୍ତ ଲେଡିଜ୍ ହଷ୍ଟେଲକୁ ଲାଗି ତାର ଏକ ଗ୍ରୋସରୀ ଦୋକାନ ରହିଛି। ଛାତ୍ରୀ ଜଣକ ହଷ୍ଟେଲରେ ଏକାକୀ ଥିବାର ସୁଯୋଗ ପାଇ ଅଭିଯୁକ୍ତ ଦୀପକ କୌଶଳ କ୍ରମେ ହଷ୍ଟେଲ ଭିତରେ ପ୍ରବେଶ କରିଥିଲା। ସେଠାରେ ସେ ଛାତ୍ରୀଙ୍କୁ ଏକାକୀ ପାଇ ଜୋରଜବରଦସ୍ତି ଦୁଷ୍କର୍ମ କରିଥିବା ନେଇ ଥାନାରେ ଏତଲା ଦିଆଯାଇଛି।
ଏହି ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ଇନଫୋଭ୍ୟାଲି ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପ୍ରାଥମିକ ତଦନ୍ତ ଏବଂ ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତ ଦୀପକ ପ୍ରଧାନକୁ ଗିରଫ କରିବାରେ ସଫଳ ହୋଇଛି। ଏ ନେଇ ଇନଫୋଭ୍ୟାଲି ଥାନାରେ କେସ୍ ନମ୍ବର ୧୪୦/୨୬ ଆଧାରରେ ଏକ ଦୁଷ୍କର୍ମ ମାମଲା ରୁଜୁ କରାଯାଇଛି। ପୋଲିସ ପକ୍ଷରୁ ପୀଡ଼ିତା ଛାତ୍ରୀଙ୍କର ଡାକ୍ତରୀ ମାଇନା ସମ୍ପନ୍ନ କରାଯାଇଛି ଏବଂ ଆଇନଗତ ପ୍ରକ୍ରିୟା ଜାରି ରହିଛି।