ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ କାର୍ରେ ଏୟାର କଣ୍ଡିସନର ବା ଏସି ଏକ ମୌଳିକ ଫିଚର ପାଲଟିଛି। ବିଶେଷ କରି ଖରାଦିନର ପ୍ରବଳ ତାତିରେ ବିନା ଏସିରେ ଗାଡ଼ି ଚଲାଇବା ଏକପ୍ରକାର ଅସମ୍ଭବ। କିନ୍ତୁ ଅନେକ ଲୋକଙ୍କ ମନରେ ଏକ ଧାରଣା ଥାଏ ଯେ, ଏସି ଚଲାଇଲେ ପେଟ୍ରୋଲ ଖର୍ଚ୍ଚ ବହୁତ ବଢ଼ିଯାଏ ଏବଂ ମାଇଲେଜ୍ ଉପରେ ଖରାପ ପ୍ରଭାବ ପଡ଼େ। ତେଣୁ ମାଇଲେଜ୍ ବଞ୍ଚାଇବା ଚକ୍କରରେ ଅନେକେ ଏସି ବନ୍ଦ କରି ଗାଡ଼ି ଚଲାନ୍ତି। ହେଲେ ପ୍ରକୃତରେ ଲଗାତାର ଘଣ୍ଟାଏ ଏସି ଚଲାଇଲେ କେତେ ଇନ୍ଧନ ଖର୍ଚ୍ଚ ହୁଏ? ଆସନ୍ତୁ ଏହା ପଛର ସତ୍ୟତା ଜାଣିବା।
ଘଣ୍ଟାକୁ କେତେ ପେଟ୍ରୋଲ ଖର୍ଚ୍ଚ ହୁଏ, ତାହା ମୁଖ୍ୟତଃ କାର୍ର ପ୍ରକାରଭେଦ ଏବଂ ଇଞ୍ଜିନର କ୍ଷମତା ଉପରେ ନିର୍ଭର କରେ। ଛୋଟ କାର୍ ଯେପରିକି ହ୍ୟାଚବ୍ୟାକ୍ କିମ୍ବା ସେଡାନ୍ ରେ ସାଧାରଣତଃ ୧.୨ ରୁ ୧.୫ ଲିଟରର ଇଞ୍ଜିନ୍ ଥାଏ। ତେଣୁ ଏହି ଗାଡ଼ିଗୁଡ଼ିକରେ ଲଗାତାର ଘଣ୍ଟାଏ ଏସି ଚଲାଇଲେ ପ୍ରାୟ ୦.୨ ରୁ ୦.୪ ଲିଟର ପେଟ୍ରୋଲ ଖର୍ଚ୍ଚ ହୋଇଥାଏ।
ଅନ୍ୟପକ୍ଷରେ, ବଡ଼ ଏସୟୁଭି ଗୁଡ଼ିକରେ ୨.୦ ଲିଟର କିମ୍ବା ତା’ଠାରୁ ବଡ଼ ଇଞ୍ଜିନ୍ ଥାଏ। ବଡ଼ ଗାଡ଼ିରେ ଏସି କମ୍ପ୍ରେସର ମଧ୍ୟ ବଡ଼ ଥିବାରୁ ଏହା ଅଧିକ ତେଲ ଟାଣିଥାଏ। ଏକ ଏସୟୁଭିରେ ଘଣ୍ଟାଏ ଏସି ଚଲାଇଲେ ପ୍ରାୟ ୦.୫ ରୁ ୦.୭ ଲିଟର ଇନ୍ଧନ ଖର୍ଚ୍ଚ ହୋଇପାରେ। ତେବେ ଗାଡ଼ିର ରକ୍ଷଣାବେକ୍ଷଣ ଏବଂ ଚଳାଇବା ଶୈଳୀ ଉପରେ ମଧ୍ୟ ଏହି ଆକଳନ କିଛି ମାତ୍ରାରେ ବଦଳିପାରେ।
ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ କାର୍ର ଏସି ଭଲ କାମ କରୁ ଏବଂ କମ୍ ପେଟ୍ରୋଲ ଖର୍ଚ୍ଚ ହେଉ, ତେବେ ନିୟମିତ ସର୍ଭିସିଂ ନିହାତି ଜରୁରି। ଫିଲ୍ଟରରେ ମଇଳା ଜମିଲେ ବା ଗ୍ୟାସ୍ କମିଗଲେ କୁଲିଂ କମିଯାଏ ଏବଂ ଇଞ୍ଜିନ୍ ଉପରେ ଚାପ ପଡ଼ି ତେଲ ଅଧିକ ପୋଡ଼େ। ତେଣୁ ପ୍ରତି ୬ ରୁ ୧୨ ମାସରେ ଥରେ ଏସି ଚେକ୍ କରାନ୍ତୁ।
ଏହି କଥା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ:
-
ଗାଡ଼ି ଷ୍ଟାର୍ଟ କରିବା କ୍ଷଣି ସଙ୍ଗେସଙ୍ଗେ ଏସିକୁ ଫୁଲ୍ ସ୍ପିଡ୍ରେ ଚଲାନ୍ତୁ ନାହିଁ। ପ୍ରଥମେ କାର୍ର କାଚ ଖୋଲି ଭିତରର ଗରମ ପବନକୁ ବାହାରକୁ ଯିବାକୁ ଦିଅନ୍ତୁ, ତା’ପରେ ଏସି ଅନ୍ କରନ୍ତୁ।
-
ଏସିକୁ ସବୁବେଳେ ମଧ୍ୟମ ସ୍ପିଡ୍ ରେ ରଖନ୍ତୁ।
-
କାର୍କୁ ଯଥାସମ୍ଭବ ଛାଇ ଜାଗାରେ ପାର୍କ କରନ୍ତୁ କିମ୍ବା ସନସେଡ୍ ର ବ୍ୟବହାର କରନ୍ତୁ।
-
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ‘ରି-ସର୍କୁଲେସନ୍ ମୋଡ୍’ ଅନ୍ ରଖନ୍ତୁ, ଯାହାଦ୍ୱାରା ବାହାରର ଗରମ ପବନ ଭିତରକୁ ଆସିବନି ଏବଂ କ୍ୟାବିନ୍ ଶୀଘ୍ର ଥଣ୍ଡା ହୋଇଯିବ, ଯାହା ଇନ୍ଧନ ସଞ୍ଚୟ କରିବାରେ ସାହାଯ୍ୟ କରିବ।