ଆଜାଦ୍ ନଗର ବୋମା ବିସ୍ଫୋରଣ ଘଟଣା: କ୍ୟାପିଟାଲ୍ ହସ୍ପିଟାଲରେ ଏନଆଇଏ ଟିମ୍, ପୋଷ୍ଟମର୍ଟମ ରିପୋର୍ଟ ଖୋଲିବ କି ବଡ଼ ଗୁମର?
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଆଜାଦ୍ ନଗର ବୋମା ବିସ୍ଫୋରଣ ଘଟଣାର ତଦନ୍ତ ଏବେ ଏକ ନୂଆ ତଥା ରହସ୍ୟମୟ ମୋଡ଼ ନେଇଛି। ଏହି ବିସ୍ଫୋରଣ ପଛରେ କୌଣସି ବଡ଼ ଧରଣର ଆତଙ୍କୀ ଷଡ଼ଯନ୍ତ୍ର ଲିଙ୍କ୍ ଥିବା ସନ୍ଦେହ କରି ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ନିଜର ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି। ମଙ୍ଗଳବାର ଏନଆଇଏର ଏକ ସ୍ୱତନ୍ତ୍ର ୪ ଜଣିଆ ଟିମ୍ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍ ହସ୍ପିଟାଲରେ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି, ଯାହା ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ାଇ ଦେଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଆଜାଦ୍ ନଗର ବିସ୍ଫୋରଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ କ୍ୟାପିଟାଲ୍ ହସ୍ପିଟାଲରେ ହିଁ କରାଯାଇଥିଲା। ଏନଆଇଏ ଟିମ୍ର ମୁଖ୍ୟ ଲକ୍ଷ୍ୟ ହେଉଛି ସେହି ଶବ ବ୍ୟବଚ୍ଛେଦ ରିପୋର୍ଟ। ଆଜି ହସ୍ପିଟାଲରେ ପହଞ୍ଚିବା ପରେ କେନ୍ଦ୍ରୀୟ ତଦନ୍ତକାରୀ ଟିମ୍ ସିଧାସଳଖ ହସ୍ପିଟାଲ୍ କର୍ତ୍ତୃପକ୍ଷ ଏବଂ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଭେଟିଥିବା ସୂଚନା ରହିଛି।
କେବଳ କାଗଜପତ୍ର ଯାଞ୍ଚ ନୁହେଁ, ବରଂ ଯେଉଁ ଡାକ୍ତରୀ ଦଳ ମୃତକଙ୍କ ବ୍ୟବଚ୍ଛେଦ କରିଥିଲେ, ସେମାନଙ୍କ ଠାରୁ ମଧ୍ୟ ଏନଆଇଏ ବିସ୍ତୃତ ତଥ୍ୟ ସଂଗ୍ରହ କରିଥିବା ଜଣାପଡ଼ିଛି। ମୃତଦେହରୁ ମିଳିଥିବା ଆଘାତର ଚିହ୍ନ, କୌଣସି ସ୍ପ୍ଲିଣ୍ଟର (Splinter) ବା ବାରୁଦର ଅଂଶବିଶେଷ, ଏବଂ ଶରୀରର କ୍ଷତରୁ ବିସ୍ଫୋରଣର ପ୍ରକୃତି ସମ୍ପର୍କରେ ଅଧିକ ସୁରାକ୍ ହାସଲ କରିବାକୁ ଟିମ୍ ପ୍ରୟାସ କରୁଛି। ବୋମାଟି କିଭଳି ତିଆରି ହୋଇଥିଲା, ଏହାର ତୀବ୍ରତା କେତେ ଥିଲା ଏବଂ ମୃତ ବ୍ୟକ୍ତି ଜଣକ ବିସ୍ଫୋରଣ ସମୟରେ କେଉଁ ସ୍ଥିତିରେ ଥିଲେ- ଏସବୁ ପ୍ରଶ୍ନର ଉତ୍ତର ଖୋଜୁଛନ୍ତି କେନ୍ଦ୍ରୀୟ ଗୁଇନ୍ଦା ଅଧିକାରୀ।
ଏବେ ଏନଆଇଏର ଆକ୍ସନ୍ ଘଟଣାର ଗମ୍ଭୀରତାକୁ ବୟାନ କରୁଛି। ଏହି ପୋଷ୍ଟମର୍ଟମ ରିପୋର୍ଟ ହାତରେ ଲାଗିବା ପରେ ଆଜାଦ୍ ନଗର ବିସ୍ଫୋରଣର ଅନେକ ଅକୁହା ସତ ପଦାକୁ ଆସିବ ବୋଲି ଅନୁମାନ କରାଯାଉଛି।
ଉଲ୍ଲେଖଯୋଗ୍ୟ, ସୁନ୍ଦରପଦା ଆଜାଦ୍ ନଗର ବୋମା ବିସ୍ଫୋରଣ ଘଟଣାରେ ଶେହନୱାଜ ମଲ୍ଲିକ ଓରଫ ମୁଫିଙ୍କ ମୃତ୍ୟୁ ହୋଇଥିଲା। ବୋମା ତିଆରି କରୁଥିବା ସମୟରେ ମୃତ୍ୟୁବରଣ ସେ କରିଥିଲେ।
ଏହି ଘଟଣାରେ ଜଣେ ଯୁବ ନେତାଙ୍କ ସମ୍ପୃକ୍ତି ସନ୍ଦେହରେ ଏନଆଇଏ ସ୍କାନରରେ ଥିବାବେଳେ, ଘଟଣାସ୍ଥଳରୁ ଜବତ ବାଇକ୍ ମାଲିକ ଅଭିଷେକ ପାତ୍ରଙ୍କୁ ପଚରାଉଚରା କରାଯାଇଛି। ଘଟଣାସ୍ଥଳରୁ ସିସିଟିଭି ଫୁଟେଜ୍ ଓ ବିସ୍ଫୋରକ ସାମଗ୍ରୀର ନମୁନା ସଂଗ୍ରହ କରାଯାଇଛି।
https://www.youtube.com/watch?v=VPy2EYLvuBw