ଭୁବନେଶ୍ୱର: ଗୌରବର ୯୦ ବର୍ଷ। ଓଡ଼ିଆ ସିନେମା ଜଗତ ତା’ର ଯାତ୍ରାର ୯୦ ବର୍ଷ ପୂରଣ କରିଛି। ୧୯୩୬ ଏପ୍ରିଲ୍ ୨୮ରେ ପ୍ରଥମ ଓଡ଼ିଆ ସିନେମା ‘ସୀତା ବିବାହ’ର ମୁକ୍ତିଲାଭ ଦିନ ହିସାବରେ ସମଗ୍ର ଓଲିଉଡ୍ ଆଜି ଓଡ଼ିଆ ଚଳଚ୍ଚିତ୍ର ଦିବସ ପାଳୁଛି। ଏହି ବ୍ଲାକ୍ ଆଣ୍ଡ ହ୍ବାଇଟ୍ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ମୋହନ ସୁନ୍ଦର ଦେବ ଗୋସ୍ବାମୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଲିଉଡକୁ ପ୍ରଶଂସା କରିବା ସହ ଓଲିଉଡ୍ ପାଇଁ ନୂତନ ସ୍ୱପ୍ନର ଶୁଭାରମ୍ଭ ବୋଲି କହିଛନ୍ତି।
ମୁଖୟମନ୍ତ୍ରୀ ଏକ୍ସରେ କହିଛନ୍ତି, ଓଡ଼ିଶାର ସାଂସ୍କୃତିକ ସ୍ୱାଭିମାନ ଓ ଗୌରବମୟ ଅସ୍ମିତାର ଇତିହାସରେ ଆଜି ଏକ ସ୍ୱର୍ଣ୍ଣିମ ମୁହୂର୍ତ୍ତ। ୧୯୩୬ ମସିହା ଆଜିର ଦିନରେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ସୀତା ବିବାହ’ ର ମୁକ୍ତିଲାଭ ସହିତ ଆମ ସିନେମା ଜଗତରେ ଯେଉଁ ବିଜୟ ଯାତ୍ରାର ଅୟମାରମ୍ଭ ହୋଇଥିଲା, ସେବେଠୁ ଆଜି ଯାଏଁ ଓଡ଼ିଆ ଚଳଚ୍ଚିତ୍ର ଅସଂଖ୍ୟ ବାଧାବିଘ୍ନ ଓ ସଂଘର୍ଷକୁ ଅତିକ୍ରମ କରି ଓଡ଼ିଆ ଜାତିର କଳା, ଭାଷା ଓ ପରମ୍ପରାକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି।
ଓଡ଼ିଆ ଚଳଚ୍ଚିତ୍ର କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ଏହା ଆମ ସମାଜର ପ୍ରତିଛବି ଏବଂ ସାଂସ୍କୃତିକ ଜାଗରଣର ଏକ ଶକ୍ତିଶାଳୀ ସ୍ୱର। ଏହି ସମୃଦ୍ଧ ପରମ୍ପରାକୁ ଗଢ଼ିତୋଳିଥିବା ସମସ୍ତ ଅଭିନେତା, ଅଭିନେତ୍ରୀ, ନିର୍ଦ୍ଦେଶକ, ପ୍ରଯୋଜକ ଓ ନେପଥ୍ୟ କୁଶଳୀଙ୍କ ଅତୁଳନୀୟ ଅବଦାନକୁ ଆଜି ମୁଁ ସମ୍ମାନର ସହ ସ୍ମରଣ କରୁଛି। ଓଡ଼ିଆ ସିନେମା ଶିଳ୍ପକୁ ଆଧୁନିକ ପ୍ରଯୁକ୍ତିବିଦ୍ୟା ଓ ସୃଜନଶୀଳତାର ଶୀର୍ଷକୁ ନେବା ସହ ଏହାକୁ ଏକ ବିଶ୍ୱସ୍ତରୀୟ ମାନ୍ୟତା ପ୍ରଦାନ କରିବା ପାଇଁ ଆମେ ସଂକଳ୍ପବଦ୍ଧ। ସମଗ୍ର ଓଡ଼ିଶାବାସୀ, ସିନେପ୍ରେମୀ ଏବଂ କଳାକାର ଭାଇଭଉଣୀଙ୍କୁ ଏହି ଐତିହାସିକ ଦିବସରେ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।