ନୂଆଦିଲ୍ଲୀ:ବଢୁଥିବା ପେଟ୍ରୋଲ ଦରରୁ ଏବେ ସାଧାରଣ ଜନତାଙ୍କୁ ମିଳିପାରେ ବଡ଼ ଆଶ୍ୱସ୍ତି। ପେଟ୍ରୋଲର ଦିନ ଏବେ ଶେଷ ହେବାକୁ ଯାଉଛି ! କାରଣ ଭାରତୀୟ ସଡ଼କରେ ଏବେ ଦୌଡ଼ିବ ୧୦୦ ପ୍ରତିଶତ ଇଥାନଲ୍ରେ ଚାଲୁଥିବା ଗାଡ଼ି। ମାତ୍ର ୬୦ ରୁ ୭୦ ଟଙ୍କାରେ ମିଳିବ ଇନ୍ଧନ। କେନ୍ଦ୍ର ସରକାର ଏଥିପାଇଁ ଏକ ବଡ଼ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। କ’ଣ ଏହି E85 ଏବଂ E100 ଇନ୍ଧନ ? ଆସନ୍ତୁ ଜାଣିବା ଏହି ରିପୋର୍ଟରୁ…
ବିଦେଶୀ ପେଟ୍ରୋଲ ଉପରେ ଭାରତର ନିର୍ଭରଶୀଳତା କମାଇବା ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ଏକ ବଡ଼ ପଦକ୍ଷେପ ନେଇଛି। ମନ୍ତ୍ରାଳୟ ପକ୍ଷରୁ ଏକ ଡ୍ରାଫ୍ଟ ନୋଟିଫିକେସନ୍ ଜାରି କରାଯାଇଛି, ଯେଉଁଥିରେ ‘ସେଣ୍ଟ୍ରାଲ ମୋଟର ଭେହିକିଲ୍ ନିୟମ’ରେ ସଂଶୋଧନ ପାଇଁ ପ୍ରସ୍ତାବ ଦିଆଯାଇଛି। ଏହି ନିୟମ ଲାଗୁ ହେବା ପରେ ଦେଶରେ E85 ଏବଂ E100 ଭଳି ହାଇ-ବ୍ଲେଣ୍ଡେଡ୍ ଇଥାନଲ୍ ଇନ୍ଧନର ବ୍ୟବହାର ପାଇଁ ବାଟ ଫିଟିବ।
ବର୍ତ୍ତମାନ ଆମେ ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ୍ ବ୍ୟବହାର କରୁଛେ, ଯାହାକୁ E20 କୁହାଯାଏ। କିନ୍ତୁ ଆଗାମୀ ଦିନରେ E85 ଆସିବ, ସେଥିରେ ୮୫% ଇଥାନଲ୍ ଏବଂ ମାତ୍ର ୧୫% ପେଟ୍ରୋଲ ରହିବ। ତେବେ E100 ସମ୍ପୂର୍ଣ୍ଣ ଶୁଦ୍ଧ ବାୟୋ-ଫ୍ୟୁଏଲ୍। ଏଥିରେ ପେଟ୍ରୋଲର ମାତ୍ରା ୦% ରହିବ।
ସବୁଠାରୁ ବଡ଼ କଥା ହେଉଛି, ଏହି ଇନ୍ଧନ ଆଖୁ, ମକା ଏବଂ ନଷ୍ଟ ହୋଇଯାଇଥିବା ଚାଉଳରୁ ପ୍ରସ୍ତୁତ କରାଯାଏ। ଏହା କେବଳ ପରିବେଶ ପାଇଁ ହିତକର ନୁହେଁ, ବରଂ ଏହା ଦ୍ୱାରା ଚାଷୀଙ୍କ ଆୟ ମଧ୍ୟ ବୃଦ୍ଧି ପାଇବ। ଅନୁମାନ କରାଯାଉଛି କି, E100 ଇନ୍ଧନ ବଜାରରେ ଲିଟର ପିଛା ମାତ୍ର ୬୦ ରୁ ୭୦ ଟଙ୍କାରେ ମିଳିବ।
ତେବେ ସରକାର ଏହି ଯୋଜନା ଉପରେ ଜନସାଧାରଣଙ୍କ ମତାମତ ଲୋଡ଼ିଛନ୍ତି। ଯଦି ସବୁକିଛି ଯୋଜନା ମୁତାବକ ଚାଲେ, ତେବେ ଖୁବ୍ ଶୀଘ୍ର ଆପଣଙ୍କ ଗାଡ଼ି ଶସ୍ତା ଏବଂ ସ୍ୱଦେଶୀ ଇନ୍ଧନରେ ଚାଲିବ। ଏହା ଦ୍ୱାରା ଦେଶର ବିଦେଶୀ ମୁଦ୍ରା ସଞ୍ଚୟ ହେବା ସହ ସାଧାରଣ ଲୋକଙ୍କ ପକେଟ୍ ଉପରେ ମଧ୍ୟ ଚାପ କମିବ।