ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବହୁ ଚର୍ଚ୍ଚିତ ସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲାରେ ଏକ ବଡ଼ ଖୁଲାସା ହୋଇଛି। ସୁଧୀରଙ୍କ ମୃତ୍ୟୁ କିଭଳି ହେଲା, ସେ ନେଇ ଲାଗି ରହିଥିବା ସନ୍ଦେହ ଉପରୁ ପରଦା ହଟାଇଛି ପୋଷ୍ଟମର୍ଟମ ରିପୋର୍ଟ। ମୃତଦେହ ବ୍ୟବଚ୍ଛେଦ କରିଥିବା ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ଏଫେମିଟି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ସୁଦୀପା ଦାଶ ଏ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।
ଡାକ୍ତର ସୁଦୀପା ଦାଶଙ୍କ କହିବା ଅନୁଯାୟୀ, ସୁଧୀରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ତାଙ୍କ ଶରୀରରେ ଆଘାତ ଚିହ୍ନ ମିଳିଛି l ସୁଧୀରଙ୍କ ମୁଣ୍ଡ ଓ ଛାତିରେ ପ୍ରବଳ ମାଡ଼ ହୋଇଥିଲା। ମାଡ଼ର ପ୍ରଭାବ ଏତେ ଅଧିକ ଥିଲା ଯେ ତାଙ୍କ ଛାତିର ପିଞ୍ଜରା ହାଡ଼ ଭାଙ୍ଗି ଯାଇଥିଲା। ମାଡ଼ ଯୋଗୁଁ ଶ୍ୱାସରୁଦ୍ଧ ହେବା ସହ ପ୍ରବଳ ଭୟ ଓ ମାନସିକ ଆଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ରିପୋର୍ଟରୁ ଜଣାପଡ଼ିଛି।
ସୂଚନାଯୋଗ୍ୟ ଯେ, ଗତ ୧୫ ତାରିଖ ରାତିରେ ଦୁର୍ବୁତ୍ତମାନେ ସୁଧୀରଙ୍କୁ ଅପହରଣ କରି ନେଇଥିଲେ। ଟଙ୍କା ପାଇବା ପାଇଁ ଅପହରଣକାରୀମାନେ ତାଙ୍କୁ ବନ୍ଧୁକ ଦେଖାଇ ଡରାଇବା ସହ ନିର୍ଘାତ ମାଡ଼ ମାରିଥିଲେ। କେବଳ ସେତିକି ନୁହେଁ, ମାଡ଼ ମାରୁଥିବା ସମୟର ଭିଡିଓ ସୁଧୀରଙ୍କ ସ୍ତ୍ରୀଙ୍କ ନିକଟକୁ ପଠାଇ ସେମାନେ ମୋଟା ଅଙ୍କର ଟଙ୍କା ଦାବି କରିଥିଲେ।
ତେବେ ପରିବାର ଲୋକେ ଟଙ୍କା ଧରି ପହଞ୍ଚିବା ପୂର୍ବରୁ ହିଁ ଅପରାଧୀମାନେ ସୁଧୀରଙ୍କୁ ମାରି ସୋରଡ଼ା ନିକଟ ଜଙ୍ଗଲରେ ଫୋପାଡ଼ି ଦେଇଥିଲେ। ନିଖୋଜ ହେବାର ୭ ଦିନ ପରେ ଅର୍ଥାତ ୨୨ ତାରିଖରେ ସୁଧୀରଙ୍କ ଗଳିତ ଶବ ମିଳିଥିଲା। ଡାକ୍ତରୀ ରିପୋର୍ଟ ଆସିବା ପରେ ଏହି ହତ୍ୟାକାଣ୍ଡ କେତେ ଭୟଙ୍କର ଥିଲା, ତାହା ଏବେ ସ୍ପଷ୍ଟ ହୋଇଛି।