କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଶେଷ ହୋଇଛି । ଶେଷ ପର୍ଯ୍ୟାୟ ମତଦାନ। ଅପରାହ୍ଣ ୫ଟା ସୁଦ୍ଧା ୮୯.୯୯ ପ୍ରତିଶତ ମତଦାନ ହୋଇଛି । ଇଭିଏମରେ ସିଲ୍ ହୋଇଯାଇଛି ନେତାଙ୍କ ଭାଗ୍ୟ । ଆସନ୍ତା ମେ ୪ରେ ଫଳାଫଳ ଉପରେ ରହିଛି ସମସ୍ତଙ୍କ ନଜର । ତେବେ ଦୁଇ ପର୍ଯ୍ୟାୟ ଭୋଟଗ୍ରହଣରେ ରେକର୍ଡ ମତଦାନ ନିମନ୍ତେ ରାଜ୍ୟର ଭୋଟରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାର ।
ଭାରତୀୟ ନିର୍ବାଚନ ଆୟୋଗ (ସିଇସି)ଙ୍କ ଦ୍ୱାରା ଜାରୀ ଏକ ବୟାନରେ ଜ୍ଞାନେଶ କୁମାରଙ୍କ ସୂତ୍ରରୁ କୁହାଯାଇଛି ଯେ, ସ୍ୱାଧୀନତା ପରଠାରୁ ପଶ୍ଚିମବଙ୍ଗରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣରେ ଏପର୍ଯ୍ୟନ୍ତର ସବୁଠୁ ଅଧିକ ମତଦାନ ପ୍ରତିଶତ ରେକର୍ଡ ହୋଇଛି ।
ପଶ୍ଚିମବଙ୍ଗ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ ସନ୍ଧ୍ୟା ୭ଟା ୪୫ ମିନିଟ୍ ସୁଦ୍ଧା ରେକର୍ଡ ଭୋଟ ପ୍ରତିଶତ ୯୧.୬୬% ଥିଲା । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପ୍ରଥମ ପର୍ଯ୍ୟାୟ ମୋଟ ୯୩.୧୯% ଭୋଟ ହୋଇଥିଲା । ଉଭୟ ପର୍ଯ୍ୟାୟର ମିଳିତ ଭୋଟ ପ୍ରତିଶତ ୯୨.୪୭% ବୋଲି ଆକଳନ କରାଯାଉଛି ।
ପ୍ରଥମ ପର୍ଯ୍ୟାୟରେ ୧୫୨ ସିଟ୍ ପାଇଁ ମତଦାନ ହୋଇଥିଲା । ସେହିପରି, ଦ୍ବିତୀୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୮ ଜିଲ୍ଲାର ୧୪୨ ଆସନରେ ପଡ଼ିଛି ଭୋଟ । ପୂର୍ବ ବର୍ଦ୍ଧମାନ ଜିଲ୍ଲାରେ ସର୍ବାଧିକ ୯୩.୩୯% ଭୋଟ ପଡିଛି । ସବୁଠୁ କମ ଭୋଟ ଦକ୍ଷିଣ କୋଲକାତା ନିର୍ବାଚନ ଜିଲ୍ଲାରେ ୮୭.୨୫% ରହିଛି ।