Latest Odisha News

BREAKING NEWS

ଭଉଣୀର କଙ୍କାଳ ଭାଇ ବ୍ୟାଙ୍କ ଆଣିବା ଘଟଣାରେ କିଏ ଦାୟୀ: ବଡ଼ ସୂଚନା ଦେଲେ RDC

କେନ୍ଦୁଝର: ମାଟି ଖୋଳି ଭଉଣୀ କଙ୍କାଳ ଭାଇ ଜିତୁ ମୁଣ୍ଡା ବ୍ୟାଙ୍କ୍‌କୁ ନେବା ଘଟଣାରେ ବଡ଼ ସୂଚନା ଦେଲେ ଆରଡିସି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆରଡିସି ଜିତୁ ମୁଣ୍ଡାଙ୍କ ଘରେ ପହଞ୍ଚି ତଦନ୍ତ କରୁଥିଲେ। କେଉଁ ପରିସ୍ଥିତିରେ ଭଉଣୀଙ୍କ ମୃତଦେହ ଖୋଳିବାକୁ ସେ ବାଧ୍ୟ ହେଲେ ଏବଂ ବ୍ୟାଙ୍କ କର୍ମଚାରୀ କ’ଣ ଡକ୍ୟୁମେଣ୍ଟ ମାଗିଥିଲେ, ଏ ସମ୍ପର୍କରେ ଅଧିକ ପଚାରି ବୁଝିଥିଲା ଟିମ୍। ତେବେ ପ୍ରାଥମିକ ତଦନ୍ତ ପରେ ଆରଡିସି ପ୍ରତିକ୍ରିୟା ଦେଇଛନ୍ତି।

ବ୍ୟାଙ୍କ ସିସି ଟିଭି ଯାଞ୍ଚ ବେଳେ କର୍ତ୍ତୃପକ୍ଷଙ୍କ ଅବହେଳା ସାମ୍ନାକୁ ଆସିଛି। ପ୍ରାଥମିକସ୍ତରରେ ଜଣାପଡୁଛି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଅବହେଳା ରହିଛି ବୋଲି କହିଛନ୍ତି ଆରଡିସି। ସିସିଟିଭିରୁ ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କୁ ଫେରାଇଥିବା ଜଣାପଡ଼ିଛି। RDC ଙ୍କ କହିବା କଥା ହେଲା, ‘ସିସିଟିଭି ଅଡିଓ ଭର୍ସନ ନ ଥିବାରୁ କଣ କଥାବାର୍ତ୍ତା ହୋଇଛି ଜଣାପଡ଼ୁନି। ତେବେ ଜିତୁ ମୁଣ୍ଡା ଦିନ ୧୧ଟା ୨୬ରେ ବ୍ୟାଙ୍କ ଆସିଲେ ଏବଂ ୧୧ଟା ୫୮ରେ ବ୍ୟାଙ୍କ ଛାଡ଼ିଲେ। ସେହି ସମୟ ଭିତରେ ୪ ଥର ସେ ବ୍ୟାଙ୍କ ଭିତରେ କର୍ମଚାରୀଙ୍କୁ ଭେଟିଛନ୍ତି। ଶେଷରେ ବ୍ୟାଙ୍କ ମ୍ୟାନେଜର ତାଙ୍କୁ ଫେରାଇଛନ୍ତି।

ଏହାପରେ ସେ କ୍ଷୁବ୍ଧ ହୋଇ ଯାଇ କଙ୍କାଳ ଆଣି ଆସିଛନ୍ତି। ପ୍ରାଥମିକ ଅନୁସନ୍ଧାନରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ RDC। ଯାହା ଘଟିଲା ଅତ୍ୟନ୍ତ ଲଜ୍ଜାଜନକ କହିଲେ RDC। ଜିତୁ ମୁଣ୍ଡା ଓ ମୃତ ଭଉଣୀ କରଲା ମୁଣ୍ଡାଙ୍କୁ ବ୍ୟାଙ୍କ କର୍ତ୍ତୃପକ୍ଷ ଚିହ୍ନିଛନ୍ତି। ଦୁଇ ଭାଇଭଉଣୀ ପୂର୍ବରୁ ୮ ଥର ଆସି ବ୍ୟାଙ୍କରୁ ଟଙ୍କା ଉଠାଇଛନ୍ତି। ଫେବ୍ରୁଆରୀରେ କଲରା ମୁଣ୍ଡାଙ୍କ ମୃତ୍ୟୁ ସତ୍ତ୍ବେ କାହିଁକି ସାର୍ଟିଫିକେଟ୍‌ ମିଳିନଥିଲା। ଜିତୁ ମୁଣ୍ଡାଙ୍କର ବ୍ୟାଙ୍କ ସମ୍ପର୍କରେ ଜ୍ଞାନ ରହିଛି। ହେଲେ ଏଠାରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଅବହେଳା ରହିଛି, ନିଶ୍ଚିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ଏବଂ ସବୁ ଜାଣିଲା ପରେ ଶବକୁ ପୋଲିସ ଗାଡ଼ିରେ ନ ନେବା ମଧ୍ୟ ଭୁଲ ବୋଲି କହିଲେ ଆରଡିସି।

ବର୍ତ୍ତମାନ ଏହି ଘଟଣା ସମାଜ ପ୍ରତି ଲଜ୍ଜାଜନକ ପାଲଟିଛି। ଭଉଣୀର କଙ୍କାଳକୁ ଧରି ତିନି କିମି ଚାଲି ବ୍ୟାଙ୍କକୁ ଯିବା ଘଟଣା ଏବେ କେବଳ ରାଜ୍ୟ ଭିତରେ ସୀମିତ ହୋଇନାହିଁ। ଏହା ଏବେ ଅନ୍ତର୍ଜାତୀୟ ସ୍ତରରେ ଆଲୋଡ଼ନ କରିଛି। କେନ୍ଦୁଝର ଜିଲ୍ଲାର ପାଟଣା ବ୍ଲକର ଜିତୁ ମୁଣ୍ଡାଙ୍କ ଅଭାବନୀୟ ଘଟଣା ବ୍ୟବସ୍ଥାର ସମ୍ବେଦନହୀନତାକୁ ଦର୍ଶାଉଛି। ଜଣେ ନିରୀହ ଆଦିବାସୀ ଜିତୁ ମୁଣ୍ଡା ନିଜ ଭଉଣୀର ମୃତ୍ୟୁ ପ୍ରମାଣ କରିବା ପାଇଁ ତାଙ୍କର କଙ୍କାଳକୁ ବ୍ୟାଙ୍କକୁ ବୋହି ବୋହି ନେବା ଘଟଣାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ବ୍ୟାଙ୍କ କର୍ତ୍ତୃପକ୍ଷ ଏଥିପାଇଁ ଦାୟୀ ବୋଲି ଆରଡିସି ଟିମ୍ କହିଛନ୍ତି।

Leave A Reply

Your email address will not be published.