Dhar road accident: ଭୟଙ୍କର ସଡ଼କ ଦୁର୍ଘଟଣା; ପିକଅପ୍ ଓଲଟି ୨ ଶିଶୁ ସମେତ ୧୬ ଜଣଙ୍କର ମୃତ୍ୟୁ, ଅନୁକମ୍ପା ରାଶି ଘୋଷଣା
ଭୋପାଳ: ମଧ୍ୟପ୍ରଦେଶର ଧାରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ବୁଧବାର ସନ୍ଧ୍ୟାରେ ଶ୍ରମିକମାନଙ୍କୁ ନେଇ ଯାଉଥିବା ଏକ ପିକଅପ୍ ଗାଡି ଓଲଟି ପଡ଼ିବାରୁ ଦୁଇ ଶିଶୁଙ୍କ ସମେତ ୧୬ ଜଣଙ୍କର ମୃତ୍ୟୁ ହୋଇଛି । ୨୦ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତଙ୍କ ମଧ୍ୟରୁ ତିନି ଜଣଙ୍କୁ ଚିକିତ୍ସା ପାଇଁ ଇନ୍ଦୋରକୁ ପଠାଯାଇଛି। ଚିକଲିଆର ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।
ପୋଲିସର ସୂଚନା ଅନୁଯାୟୀ, ପିକଅପ୍ ଗାଡିଟି ପ୍ରାୟ ୩୦ ରୁ ୩୫ଜଣ ଶ୍ରମିକଙ୍କୁ ନେଇ ସେମାନଙ୍କ ପିଲାମାନଙ୍କ ସହିତ ଅମଝେରା ଯାଉଥିଲା। ବୁଧବାର ରାତି ପ୍ରାୟ ୮:୦୦ ରୁ ୮:୩୦ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଅମଝେରା ଯାଉଥିବା ପିକଅପ୍ ଭ୍ୟାନଟି ହଠାତ୍ ନିୟନ୍ତ୍ରଣ ହରାଇ ଓଲଟି ପଡ଼ିବାରୁ ଭିତରେ ଥିବା ସମସ୍ତ ଶ୍ରମିକ ଫସି ଯାଇଥିଲେ। ଦ୍ରୁତ ଗତିରେ ଆସୁଥିବା ପିକଅପ୍ ଭ୍ୟାନଟି ରାସ୍ତା ଡିଭାଇଡର ସହିତ ଧକ୍କା ହୋଇଥିବା ଜଣାପଡିଛି।
ସ୍ଥାନୀୟ ଲୋକମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ଫସି ରହିଥିବା ଲୋକଙ୍କୁ ବାହାର କରିଥିଲେ। ଅନେକ ଆହତ ଶ୍ରମିକ ରାସ୍ତାରେ ପଡ଼ି ରହିଥିଲେ, ଯାହା ଫଳରେ ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ଏବଂ ସଙ୍କଟଜନକ ହୋଇଯାଇଥିଲା। ସମସ୍ତ ଆହତଙ୍କୁ ଆମ୍ବୁଲାନ୍ସ ଦ୍ୱାରା ଧାର ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।
ଏହି ଘଟଣାରେ ପ୍ରଧାନମନ୍ତ୍ରୀ ମୋଦୀ ଦୁଃଖ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଦିଆଯିବ ବୋଲି ମଧ୍ୟ ଘୋଷଣା କରାଯାଇଛି।
ପିକଅପ୍ ଓଲଟି ପଡ଼ିବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଥିବା କଲେକ୍ଟର ଅଭିଷେକ ଚୌଧୁରୀ ସୂଚନା ଦେଇଛନ୍ତି। ଘଟଣାସ୍ଥଳରୁ ସମସ୍ତ ଗୁରୁତର ଆହତଙ୍କୁ ଜିଲ୍ଲା ହସ୍ପିଟାଲକୁ ଅଣାଯାଇଛି।