ଭୁବନେଶ୍ୱର: ବିଧାନସଭାର ଦିନିକିଆ ସ୍ଵତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ମହାବିତର୍କ। ମହିଳା ସଶକ୍ତିକରଣ ନେଇ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଭାରତୀୟ ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ ପ୍ରସଙ୍ଗରେ ମୋସନ ଆଗତ କଲେ ମୁଖ୍ୟମନ୍ତ୍ରୀ। ଗୃହ କାର୍ଯ୍ୟ ଆରମ୍ଭରୁ ଆଲୋଚନା ପାଇଁ ପ୍ରସ୍ତାବ ଆଣି ମୁଖ୍ୟମନ୍ତ୍ରୀ ତାଙ୍କର ବକ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି, ମହିଳାଙ୍କୁ ଉଚିତ ନ୍ୟାୟ ଦେବାରେ ଅବହେଳା କରାଯାଇଛି। ଏବେ ବିରୋଧୀ ଆଲୋଚନାକୁ ଆଗେଇ ଆସିବା ବଦଳରେ ନକାରାତ୍ମକ ମନ୍ତବ୍ୟ ଦେଉଛନ୍ତି।
କଂଗ୍ରେସ ନିଜ ସରକାର ସମୟରେ ମହିଳାଙ୍କ ବିଲକୁ ପାସ କରି ନଥିଲା। ବିଜେଡି ବି ପଞ୍ଚାୟତସ୍ତରରେ ମହିଳାଙ୍କ ସଂରକ୍ଷଣ କଥା କହି ବାହା ବାହା ନେଉଛି। ବିଧାୟକ କିମ୍ବା ସାଂସଦ କଥା ଆସିଲା ବେଳେ ପଛ ଘୁଞ୍ଚା କାହିଁକି? ମହିଳାଙ୍କୁ ସଂରକ୍ଷଣ ମିଳିଲେ ବଡ଼ ପଣ୍ଡା ମାନଙ୍କର ସଂରକ୍ଷଣର ଅଧିକାର କ୍ଷୁର୍ଣ୍ଣ ହୁଏ ନାହିଁ। ଯେ ପର୍ଯ୍ୟନ୍ତ ମହିଳାଙ୍କୁ ବିଧାନସଭା କି ସଂସଦକୁ ପଠାଉ ନାହାଁନ୍ତି ତାଙ୍କୁ ଉଚିତ ସମ୍ମାନ ମିଳିନାହିଁ।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଭାରତର ରାଷ୍ଟ୍ରପତି ଜଣେ ମହିଳା, ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ବି ଜଣେ ମହିଳା, ବାଚସ୍ପତି ବି ଜଣେ ମହିଳା ଅଛନ୍ତି। କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ୯ ଥର ବଜେଟ୍ ଉପସ୍ଥାପନା କରିଛନ୍ତି। ଦେଶରେ ନାରୀ ଶକ୍ତି ବନ୍ଧନର ଆବଶ୍ୟତ ଅଛି। ବିରୋଧୀ ଏଥିରେ ରୋକ ଲଗାଇଛନ୍ତି ଯାହାର ଉଚିତ ଜବାବ ଦେବେ ମହିଳା। ବିରୋଧୀ ଦଳ ନେତା ଚିଠି ଲେଖି ଉତ୍ତର ମାଗିଥିଲେ, ତାଙ୍କ ଆଶଙ୍କା ନିରର୍ଥକ। ସିଟ୍ ବୃଦ୍ଧି ହେଲେ ଓ ମହିଳା ସଂରକ୍ଷଣ ବିଲ୍ ପାରିତ ହେଲେ ଓଡ଼ିଶା ବି ଅନ୍ୟ ରାଜ୍ୟ ଭଳି ସମାନ ଅଧିକାର ପାଇଥାନ୍ତା। କଥାରେ ଅଲଗା କାମରେ ଅଲଗା। ବିରୋଧୀ ମତାମତ ଦିଅନ୍ତୁ। ଗୃହରେ ନାରୀ ଶକ୍ତି ନେଇ ଆଲୋଚନା ହେଉ ବୋଲି ମୁଖ୍ୟମନ୍ତ୍ରୀ ନିଜର ବିବୃତ୍ତି ରଖିଛନ୍ତି।
ସୂଚନା ଥାଉକି ଗୃହ ଆରମ୍ଭରୁ କଂଗ୍ରେସ ବିଧାୟକମାନେ ହୋହଲ୍ଲା କରିଥିଲେ। କେନ୍ଦୁଝର କଙ୍କାଳ ଘଟଣାରେ ବାଚସ୍ପତିଙ୍କ ପୋଡିୟମ ନିକଟରେ ନାରାବାଜି କରିଥିଲେ। ଏହାପରେ କଂଗ୍ରେସ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ। ହେଲେ କିଛି ସମୟ ପରେ ବିଧାୟକମାନେ ଗୃହକୁ ଫେରିଛନ୍ତି। ଆଲୋଚନାରେ ଭାଗ ନେଇଛନ୍ତି।