ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ରାଜସ୍ଥାନ ରୟାଲ୍ସର ଅଧିନାୟକ ରିୟାନ ପରାଗ ବିସିସିଆଇ ଦ୍ୱାରା ଦଣ୍ଡିତ ହୋଇଛନ୍ତି । ପଞ୍ଜାବ କିଙ୍ଗସ ବିପକ୍ଷ ମ୍ୟାଚରେ ସେ ଡ୍ରେସିଂ ରୁମରେ ୱେପିଙ୍ଗ କରୁଥିବା ଜଣାପଡିଥିଲା । ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଆଇପିଏଲ ଆଚାର ସଂହିତା ୧କୁ ଏହା ଉଲ୍ଲଂଘନ କରୁଥିବାରୁ ପରାଗଙ୍କ ମ୍ୟାଚ ଫିର ୨୫ ପ୍ରତିଶତ ଅର୍ଥ ଜରିମାନା ବାବଦକୁ କଟାଯାଇଛି । ଏହା ବ୍ୟତୀତ ୧ ଡିମେରିଟ ପଂଏଟ ଦିଆଯାଇଛି । ସେ ପୂନର୍ବାର ଏହି ଭୁଲ କଲେ ଦଣ୍ଡାଦେଶକୁ ବୃଦ୍ଧି କରାଯିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି । ରିୟାନଙ୍କ ଉପରେ ମ୍ୟାଚ ରେଫରୀ ଅମିତ ଶର୍ମା ଜରିମାନା ଲଗାଇଥିଲେ ।
ଯାହାକୁ ରାଜସ୍ଥାନ ଟିମର ଅଧିନାୟକ ଗ୍ରହଣ କରି ନେଇଛନ୍ତି । ସେ ଏ ଭଳି ତ୍ରୁଟି ପୂନର୍ବାର ହେବନି ବୋଲି କହିଛନ୍ତି । ପୂର୍ବରୁ ମ୍ୟାଚ ଶେଷ ହେବା ପରେ ଫିଲ୍ଡ ଅମ୍ପାୟର ତନ୍ମୟ ଶ୍ରୀବାସ୍ତବ ଓ ନୀତିନ ମେନନ ମ୍ୟାଚ ରେଫରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ସୂଚନାଯୋଗ୍ୟ, ଭାରତରେ ଇ-ସିଗାରେଟ ଏବଂ ୱେପିଙ୍ଗ ଉପରେ ପ୍ରତିବନ୍ଧ ଲଗାଯାଇଛି । ନିୟମ ଅନୁସାରେ ଏହାର ନିର୍ମାଣ, ବିକ୍ରୀ କିମ୍ବା ବ୍ୟବହାର କରାଯାଇ ପାରିବ ନାହିଁ । ଉଲ୍ଲଂଘନକାରୀଙ୍କୁ ଜରିମାନା ଓ ଜେଲ ଦଣ୍ଡରେ ଦଣ୍ଡିତ କରାଯିବ ବୋଲି ନିୟମରେ ଉଲ୍ଲେଖ ରହିଛି ।