ନୂଆଦିଲ୍ଲୀ: ଆଇପିଏଲ ୨୦୨୬ରେ ୨୦୦ରୁ ଊର୍ଦ୍ଧ୍ୱ ସ୍କୋର ମଧ୍ୟ ସହଜରେ ଚେଜ ହେଉଛି । ସେହିପରି ବ୍ୟାଟ୍ସମ୍ୟାନଙ୍କ ଶତକ ମଧ୍ୟ ଦଳର ବିଜୟରେ ଗ୍ୟାରେଂଟି ସାବ୍ୟସ୍ତ ହେଉନି । ଟି୨୦ରେ ଶତକ ହାସଲ କରିବା ନିଶ୍ଚିତ ଭାବେ ଏକ ବହୁତ ବଡ ଉପଲବ୍ଧି । କ୍ରିକେଟର ଏହି ଫଟାଫଟ ଫର୍ମାଟରେ ରେକର୍ଡ ଅପେକ୍ଷା ବିଜୟ ଜରୁରୀ ହୋଇଛି । ଚଳିତ ସଂସ୍କରଣରେ ୪୧ ମ୍ୟାଚ ଖେଳାଯାଇଥିବା ବେଳେ ବ୍ୟକ୍ତିଗତ ଭାବେ ୯ଜଣ ବ୍ୟାଟ୍ସମ୍ୟାନ ଶତକ ହାସଲ କରିଛନ୍ତି । ଏଥିରେ ୫ଟି ମ୍ୟାଚ ଶତକ ହାସଲ କରିଥିବା ଟିମ ପରାଜିତ ହୋଇଛି ।
ଶତକ ହାସଲ କରିଥିବା ବ୍ୟାଟ୍ସମ୍ୟାନମାନେ ହେଲେ ଚେନ୍ନାଇ ସୁପର କିଙ୍ଗସର ସଞ୍ଜୁ ସାମସନ(୨), ହାଇଦ୍ରାବାଦର ଅଭିଷେକ ଶର୍ମା, ମୁମ୍ବାଇର ତିଳକ ବର୍ମା, କ୍ୱିଂଟନ ଡିକକ ଓ ର୍ୟାନ ରିକେଲଟ, ଦିଲ୍ଲୀର କେଏଲ ରାହୁଲ, ଗୁଜରାଟ ଟାଇଟାନ୍ସର ସାଈ ସୁଦର୍ଶନ ଓ ରାଜସ୍ଥାନ ରୟାଲ୍ସର ବୈଭବ ସୂର୍ଯ୍ୟବଂଶୀ ରହିଛନ୍ତି ।
ସଞ୍ଜୁଙ୍କ ୨ଟି ଶତକ, ମୁମ୍ବାଇର ତିଳକ ବର୍ମା ଓ ହାଇଦ୍ରାବାଦର ଅଭିଷେକ ଶତକ ହାସଲ କରିଥିବା ମ୍ୟାଚରେ ସେମାନଙ୍କ ଦଳ ବିଜୟ ହାସଲ କରିଛନ୍ତି । ଟି୨୦ରେ ଏବେ ଡଟ ବଲକୁ ବିଶେଷ ଗୁରୁତ୍ୱ ଦିଆଯାଉଛି । ନିର୍ଦ୍ଦିଷ୍ଟ ଷ୍ଟ୍ରାଟେଜିରେ ବ୍ୟାଟ୍ସମ୍ୟାନମାନେ ବ୍ୟାଟିଂ କରୁଥିବା ଆସୁଛନ୍ତି । ୱିକେଟ ପତନ ହେଲେ ମଧ୍ୟ ଷ୍ଟାଇଲରେ ପରିବର୍ତନ କରୁ ନାହାନ୍ତି । ବହୁତ କମ ମ୍ୟାଚରେ ଅତ୍ୟଧିକ ଖରାପ ପ୍ରଦର୍ଶନ ପରେ ଟିମ ସମ୍ଭାଳିବା ପାଇଁ ରକ୍ଷଣାତ୍ମକ ପନ୍ଥା ଆପଣାଉଛି ।