Latest Odisha News

କରିସ୍ମା କପୁରଙ୍କୁ ଆଶ୍ୱସ୍ତି, ସଞ୍ଜୟଙ୍କ ସମ୍ପତ୍ତି ଫ୍ରିଜ୍ କଲେ କୋର୍ଟ

ନୂଆଦିଲ୍ଲୀ: ଵୀଜନେସମ୍ୟାନ ସଞ୍ଜୟ କପୁରଙ୍କ ମୃତ୍ୟୁ ପରେ ତାଙ୍କ ହଜାର ହଜାର କୋଟି ଟଙ୍କାର ସମ୍ପତ୍ତିକୁ ନେଇ ପାରିବାରିକ ବିବାଦ ଏବେ ଆଇନଗତ ମୋଡ଼ ନେଇଛି। ଦିଲ୍ଲୀ ହାଇକୋର୍ଟ ତାଙ୍କ ସମ୍ପତ୍ତିକୁ ବର୍ତ୍ତମାନ ପାଇଁ ଫ୍ରିଜ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିବାଦର ସମାଧାନ ନହେବା ପର୍ଯ୍ୟନ୍ତ ଏହି ସମ୍ପତ୍ତିଗୁଡ଼ିକୁ ବିକ୍ରି କିମ୍ବା ସ୍ଥାନାନ୍ତର କରାଯାଇପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।

ବଲିଉଡ୍ ଅଭିନେତ୍ରୀ କରିସ୍ମା କପୁର, ସଞ୍ଜୟ କପୁରଙ୍କୁ ବିବାହ କରିଥିଲେ। ତାଙ୍କ ସନ୍ତାନଙ୍କ ନାମ କିୟାନ୍ ଏବଂ ସମାଇରା। ତେବେ ପିଲାମାନେ ଅଭିଯୋଗ କରିଛନ୍ତି ଯେ ମୃତ୍ୟୁ ପରେ ପିତାଙ୍କ ତୃତୀୟ ପତ୍ନୀ ପ୍ରିୟା ସଚଦେବ କପୁର ଇଚ୍ଛାପତ୍ରକୁ ହେରଫେର୍ କରିଛନ୍ତି ଏବଂ କୋର୍ଟକୁ ସମ୍ପତ୍ତିର ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିନାହାନ୍ତି।

କିୟାନ୍ ଏବଂ ସମାଇରା କହିଛନ୍ତି ଯେ ଦାଖଲ କରାଯାଇଥିବା ସମ୍ପତ୍ତିର ତାଲିକା ଅସମ୍ପୂର୍ଣ୍ଣ ଏବଂ ଏଥିରେ ଦାମୀ ପୋଲୋ ଘୋଡା ଏବଂ ବିଳାସପୂର୍ଣ୍ଣ ଘଣ୍ଟା ଭଳି ଅନେକ ମୂଲ୍ୟବାନ ଜିନିଷ ନାହିଁ। ଏହି ଘଣ୍ଟାଗୁଡ଼ିକ ରୋଲେକ୍ସ ଭଳି ପ୍ରସିଦ୍ଧ କମ୍ପାନୀର। ପିଲାମାନେ ଦାବି କରିଛନ୍ତି ଯେ ସମ୍ପତ୍ତିର ପ୍ରକୃତ ମୂଲ୍ୟକୁ ଲୁଚାଇବା ପାଇଁ ଏହାକୁ ଜାଣିଶୁଣି ଲୁଚାଇ ଦିଆଯାଇଥିଲା।

ଯାହା ଫଳରେ କୋର୍ଟ ପ୍ରିୟା ସଚଦେବ କପୁରଙ୍କୁ କୌଣସି ସମ୍ପତ୍ତି ବିକ୍ରୟ ନ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଏପରିକି ସଞ୍ଜୟ କପୁରଙ୍କ ବ୍ୟାଙ୍କ ଆକାଉଣ୍ଟଗୁଡ଼ିକୁ ମଧ୍ୟ ଫ୍ରିଜ୍ କରାଯାଇଛି।

ତେବେ ଜୁନ୍ ୨୦୨୫ରେ ସଞ୍ଜୟ କପୁରଙ୍କ ଆକସ୍ମିକ ମୃତ୍ୟୁ ପରେ ପ୍ରାୟ ୩୦୦୦୦ କୋଟି ମୂଲ୍ୟର ସମ୍ପତ୍ତିକୁ ନେଇ ଏକ ଆଇନଗତ ଲଢ଼େଇ ଆରମ୍ଭ ହୋଇଛି।

Leave A Reply

Your email address will not be published.