ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀର ତାଣ୍ଡବ ଜାରି ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱରରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଭୁବନେଶ୍ୱରର ନୀଳାଦ୍ରି ବିହାର ସ୍ଥିତ ସୋମନାଥ ବସ୍ତିରେ ଏକ ଘର ଉପରେ ହଠାତ୍ ବଜ୍ରପାତ ହେବାରୁ ଗୋଟିଏ ପରିବାରର ୩ ଜଣ ସଦସ୍ୟ ଗୁରୁତର ଭାବେ ପୋଡ଼ି ଯାଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଛାତ ଉପରେ ଚଡ଼କ ପଡ଼ିବାରୁ ଘରର ଛପର ସମ୍ପୂର୍ଣ୍ଣ ଭାବେ ଉଡ଼ିଯାଇଥିଲା। ବଜ୍ରପାତର ତୀବ୍ରତା ଏତେ ଭୟଙ୍କର ଥିଲା ଯେ, ଘର ଭିତରେ ଥିବା ତିନି ଜଣ ସଦସ୍ୟ ନିଆଁରେ ଜଳି ଯାଇଥିଲେ। ଅର୍ଦ୍ଧଦଗ୍ଧ ଅବସ୍ଥାରେ ଜୀବନ ବିକଳରେ ସେମାନେ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ। ଏହି ବିକଳ ଦୃଶ୍ୟ ଦେଖି ସ୍ଥାନୀୟ ଲୋକେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପାଇଁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ ଉନ୍ନତ ଚିକିତ୍ସା ନିମନ୍ତେ କଟକ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଚନ୍ଦ୍ରଶେଖରପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିଜର ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।
ଅନ୍ୟପକ୍ଷରେ, ସାରା ଓଡ଼ିଶାରେ ଏବେ କାଳବୈଶାଖୀର ଭୟଙ୍କର ପ୍ରଭାବ ଦେଖିବାକୁ ମିଳୁଛି। ଗତକାଲି ଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘଡ଼ଘଡ଼ି ଓ ବଜ୍ରପାତ ସାଙ୍ଗକୁ ପ୍ରବଳ ବର୍ଷା ଲାଗିରହିଛି। ପାଗରେ ଏଭଳି ହଠାତ୍ ପରିବର୍ତ୍ତନ ଯୋଗୁଁ ସାଧାରଣ ଜନଜୀବନ ବ୍ୟାପକ ମାତ୍ରାରେ ପ୍ରଭାବିତ ହୋଇଛି।
ଆଜି ମଧ୍ୟ ସାରା ରାଜ୍ୟରେ କାଳବୈଶାଖୀର ଆଶଙ୍କା ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ଆଜି ରାଜ୍ୟର ୪ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଥିବା ବେଳେ ଅନ୍ୟ ୨୬ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଦେଇଛି। ବିଶେଷ କରି ରାଜଧାନୀ ଭୁବନେଶ୍ୱର ଏବଂ କଟକ ସହରରେ ଗତକାଲି ସନ୍ଧ୍ୟାରୁ ପାଗ ମେଘୁଆ ରହିବା ସହ ତୁହାକୁ ତୁହା ବର୍ଷା ଲାଗିରହିଛି।