ବିଧାନସଭା ସ୍ୱତନ୍ତ୍ର ଅଧିବେଶନ: ମହିଳା ସଂରକ୍ଷଣ ପ୍ରସଙ୍ଗରେ ୧୦ ଘଣ୍ଟାର ମାରାଥନ୍ ଆଲୋଚନା, ବିରୋଧୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଜବା
ଭୁବନେଶ୍ୱର: ରାଜ୍ୟ ବିଧାନସଭାର ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିବା ସହ ଶେଷ ହୋଇଛି। ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ ଏବଂ ସଶକ୍ତୀକରଣ ପ୍ରସଙ୍ଗକୁ ନେଇ ଗୃହରେ ଏକ ମାରାଥନ୍ ଆଲୋଚନା ଦେଖିବାକୁ ମିଳିଥିଲା। ଦିନ ୧୧ଟାରୁ ଆରମ୍ଭ ହୋଇଥିବା ଏହି ଆଲୋଚନା ରାତି ୧୨.୪୫ ମିନିଟ୍ ପର୍ଯ୍ୟନ୍ତ, ଅର୍ଥାତ୍ ପ୍ରାୟ ୧୦ ଘଣ୍ଟା ଧରି ଚାଲିଥିଲା। ଏଥିରେ ଉଭୟ ଶାସକ ଓ ବିରୋଧୀ ଦଳର ପ୍ରାୟ ୪୦ ଜଣ ସଦସ୍ୟ ନିଜର ମତ ରଖିଥିଲେ। ତେବେ ମହିଳା ସଂରକ୍ଷଣ ଏବଂ ସୁରକ୍ଷାକୁ ନେଇ ଶାସକ ବିଜେପି ଏବଂ ବିରୋଧୀ ବିଜେଡି ମଧ୍ୟରେ ଜୋରଦାର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।
ଆଲୋଚନାରେ ଭାଗ ନେଇ ମୁଖ୍ୟମନ୍ତ୍ରୀ କଡ଼ା ଭାଷାରେ ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେ, ବିରୋଧୀ ଦଳ ମହିଳାଙ୍କୁ କେବଳ ଭୋଟ୍ ବ୍ୟାଙ୍କ ଭାବରେ ବ୍ୟବହାର କରୁଥିଲେ, କିନ୍ତୁ ଏବେ ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ମହିଳାମାନେ ବିରୋଧୀଙ୍କ ହାତ ଛାଡ଼ିଦେବା କାରଣରୁ ହିଁ ଆଜି ସେମାନଙ୍କର ଏଭଳି ଦୁରାବସ୍ଥା ହୋଇଛି। ମହିଳାଙ୍କ ସମ୍ପର୍କରେ ବିରୋଧୀଙ୍କ ମୁହଁରେ ଗୋଟିଏ କଥା ଏବଂ ହୃଦୟରେ ଆଉ ଗୋଟିଏ କଥା ରହୁଛି।
ଡି-ଲିମିଟେସନ୍ (Delimitation) ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିରୋଧୀ ନିଜ ଗାଦି ସୁରକ୍ଷିତ ରଖିବାକୁ ଯାଇ ମହିଳା ସଂରକ୍ଷଣ ବିଲକୁ ବର୍ଷ ବର୍ଷ ଧରି ବିଳମ୍ବ କରାଇଥିଲେ, ଯାହା ଫଳରେ ସେମାନେ ଆଜି ଜନଆକ୍ରୋଶର ଶିକାର ହେଉଛନ୍ତି। “ବିରୋଧୀ ମହିଳାଙ୍କୁ କେବଳ ସହଯୋଗର ପାତ୍ରୀ ଭାବେ ଦେଖୁଥିବା ବେଳେ, ମୋଦି ସରକାର ସେମାନଙ୍କୁ ସମାଜର ସାରଥୀ ଭାବେ ଦେଖୁଛନ୍ତି। ଆଗାମୀ ଦିନରେ ମହିଳାମାନେ କାହାର ଦୟାରେ ନୁହେଁ, ବରଂ ନିଜ ଅଧିକାର ବଳରେ ସ୍ୱାମୀଙ୍କ ପ୍ରତିନିଧି ନହୋଇ ନିଜେ ବିଧାନସଭାରେ ନେତୃତ୍ୱ ନେବେ,” ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅନୁପସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ କଟାକ୍ଷ କରିଥିଲେ। ମହିଳାଙ୍କ ସଶକ୍ତୀକରଣ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚାଲିଥିବା ବେଳେ ମାତ୍ର ୧ ଘଣ୍ଟା ୩୩ ମିନିଟ୍ ରହି ନବୀନ ଗୃହ ଛାଡ଼ିବା ଅତ୍ୟନ୍ତ ଦୁଃଖଦାୟକ ବୋଲି ସେ କହିଛନ୍ତି। “ଅତି ଭକ୍ତି ଚୋରର ଲକ୍ଷଣ। ବିରୋଧୀ ଦଳ ନେତାଙ୍କ କଥା ସେବା ନୁହେଁ, ବରଂ ଅହଙ୍କାରର ପରିପ୍ରକାଶ କରୁଛି,” ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ ପୂର୍ବ ସରକାରର ୨୪ ବର୍ଷିଆ ଶାସନର ବିଫଳତାକୁ ମନେ ପକାଇ ଦେଇଛନ୍ତି। ଛତିଶଗଡ଼ର ମହାନଦୀ ବ୍ୟାରେଜ୍ ଠାରୁ ଆରମ୍ଭ କରି କଳିଙ୍ଗନଗର ଗୁଳିକାଣ୍ଡ, ଚିଟଫଣ୍ଡ ଦୁର୍ନୀତି, ଦାନ ମାଝୀ ଘଟଣା, ବେବିନା ଏବଂ କୁନ୍ଦୁଲି ଗଣଦୁଷ୍କର୍ମ, ଇତିଶ୍ରୀ ମୃତ୍ୟୁ, ନୟାଗଡ଼ର ପରୀ ହତ୍ୟାକାଣ୍ଡ ଏବଂ ନବ ଦାସଙ୍କ ହତ୍ୟା ଘଟଣାରେ ପୂର୍ବ ସରକାର କିଭଳି ପ୍ରଶାସନିକ କଳ ଲଗାଇ ଦୋଷୀଙ୍କୁ ଘଣ୍ଟ ଘୋଡ଼ାଇଥିଲେ, ସେ ନେଇ ସେ ପ୍ରଶ୍ନ ଉଠାଇଥିଲେ। ବର୍ତ୍ତମାନର ବିଜେପି ସରକାର ମହିଳା ହିଂସା ପ୍ରତି ଶୂନ୍ୟ ସହନଶୀଳତା ନୀତି ଆପଣାଇବା ସହ ଦଣ୍ଡବିଧାନ ହାର ବଢ଼ାଇଥିବା ସେ ଦାବି କରିଛନ୍ତି।