Latest Odisha News

BREAKING NEWS

ବୋଟ୍ ବୁଡ଼ିର କରୁଣ ଚିତ୍ର: ମୃତ୍ୟୁ ବି ଛଡ଼େଇ ପାରିଲାନି ମାଆର କୋଳ, ଲୁହା କାଟି ଶବ ବାହାର କଲେ

ଜବଲପୁର: ମଧ୍ୟପ୍ରଦେଶ ଜବଲପୁରର ବରଗି ଡ୍ୟାମ୍‌ରେ ଘଟିଥିବା ବୋଟ୍ ଦୁର୍ଘଟଣା ଏବେ କେବଳ ଏକ ଦୁର୍ଘଟଣା ହୋଇ ରହିନାହିଁ, ବରଂ ଏକ ହୃଦୟବିଦାରକ ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଏପରି ଏକ କରୁଣ ଦୃଶ୍ୟ ସାମ୍ନାକୁ ଆସିଛି, ଯାହା ଶୁଣିଲେ ବା ଦେଖିଲେ ଯେକେହି ବି କାନ୍ଦିପକାଇବ।

ଶୁକ୍ରବାର ଦିନ ଆଗ୍ରାରୁ ଆସିଥିବା ପାରାମିଲିଟାରୀ ଡାଇଭିଂ ଟିମ୍ ଯେତେବେଳେ ପାଣି ଭିତରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କଲେ, ସେତେବେଳେ ସେମାନଙ୍କୁ ଏକ କୋହଲା ଦୃଶ୍ୟ ଦେଖିବାକୁ ମିଳିଥିଲା। ପାଣିର ଅଥଳ ଗର୍ଭରେ ବୁଡ଼ି ରହିଥିବା କ୍ରୁଜ୍‌ର ଭଗ୍ନାବଶେଷ ଭିତରୁ ଜଣେ ମାଆ ଏବଂ ତାଙ୍କ ଛୁଆର ଶବ ମିଳିଥିଲା। ଆଶ୍ଚର୍ୟର କଥା ହେଉଛି, ମୃତ୍ୟୁର ସେହି ଭୟଙ୍କର ମୁହୂର୍ତ୍ତରେ ମଧ୍ୟ ଜଣେ ମାଆ ନିଜ ଛୁଆକୁ ଛାତିରେ କୁଣ୍ଢାଇ ଧରିଥିଲା ଯେ, ନିଷ୍ଠୁର ମୃତ୍ୟୁ ମଧ୍ୟ ସେମାନଙ୍କ ବନ୍ଧନକୁ ଅଲଗା କରିପାରିନଥିଲା।

ଉଦ୍ଧାରକାରୀ ଦଳର ଜଣେ ସଦସ୍ୟ ଏହି ଭାବବିହ୍ୱଳ ମୁହୂର୍ତ୍ତର ବର୍ଣ୍ଣନା କରି କହିଛନ୍ତି, “ଯେତେବେଳେ ଆମେ କ୍ରୁଜ୍ ଭିତରେ ପ୍ରବେଶ କଲୁ, ଜଣେ ମହିଳାଙ୍କ ଶବ ବାହାର କରିବା ପାଇଁ ଆମକୁ ବହୁତ ସଂଘର୍ଷ କରିବାକୁ ପଡ଼ିଲା। ପରେ ଆମେ ଦେଖିଲୁ ଯେ, ସେହି ମାଆ ଜଣକ ନିଶ୍ୱାସ ଥିବା ଯାଏଁ ନିଜ ପିଲାକୁ ଏକ ସୁରକ୍ଷା କବଚ ଭଳି ନିଜ ହାତରେ ଆବଦ୍ଧ କରି ରଖିଥିଲେ।” ପ୍ରାୟ ୧୨ ଘଣ୍ଟା ଧରି ସେହି ମାଆ ନିଜ ଛାତିରେ କଣ୍ଢେଇକି ରଖିଥିଲେ।

ଡାଇଭିଂ ଟିମ୍ ଅନୁଯାୟୀ, ବୁଡ଼ିଯାଇଥିବା କ୍ରୁଜ୍ ଭିତରେ କିଛି ବି ଦେଖାଯାଉନାହିଁ । ଆଗ୍ରାରୁ ଆସିଥିବା ଏହି ଦଳ ପାଇଁ ଉଦ୍ଧାର କାର୍ଯ୍ୟ ଏକ ଅଗ୍ନିପରୀକ୍ଷା ପାଲଟିଛି। କ୍ରୁଜ୍‌ର ଢାଞ୍ଚା ସମ୍ପୂର୍ଣ୍ଣ ରୂପେ ଦବି ଯାଇଛି। ଲୁହା ରଡ୍ ଓ ଗ୍ରିଲ୍ ଯୋଗୁଁ ରାସ୍ତା ଏତେ ସଙ୍କୁଚିତ ହୋଇଯାଇଛି ଯେ, ଉଦ୍ଧାର ବେଳେ ଜଣେ ପାରାମିଲିଟାରୀ ଟିମର ସଦସ୍ୟ ମଧ୍ୟ ଫସିଯାଇଥିଲେ। ଭିତରେ ଫସିଥିବା ଶବଗୁଡ଼ିକୁ ବାହାର କରିବା ପାଇଁ ହାତୁଡ଼ି ସାହାଯ୍ୟରେ ଲୁହା ଚାଦରକୁ କାଟିବାକୁ ପଡ଼ୁଛି। କ୍ରୁଜ୍‌ର ଭଙ୍ଗା ଅଂଶବିଶେଷ ଉଦ୍ଧାରକାରୀ ଟିମର ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି କରୁଛି।

ଲୁହା ରଡ୍ ଏବଂ ଭଙ୍ଗା କ୍ରୁଜ୍ ଭିତରୁ ସେହି ମାଆ-ପୁଅଙ୍କୁ ବାହାର କରିବା ପୁରା ଉଦ୍ଧାରକାରୀ ଦଳ ପାଇଁ ସବୁଠାରୁ ହୃଦୟବିଦାରକ ମୁହୂର୍ତ୍ତ ଥିଲା। ଏହି ଘଟଣାରେ ଏବେ ସୁଦ୍ଧା ୯ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଯାତ୍ରୀମାନଙ୍କୁ ଲାଇଫ୍ ଜ୍ୟାକେଟ୍ ନଦେବା ଏବଂ ସୁରକ୍ଷାରେ ଅବହେଳା କାରଣରୁ ଏତେ ବଡ଼ ଅଘଟଣ ଘଟିଥିବା ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିବା ସଙ୍ଗୀତା ନାମକ ଜଣେ ମହିଳା ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.