Latest Odisha News

BREAKING NEWS

ଇଭିଏମ୍ ଟ୍ୟାମ୍ପରିଂକୁ ନେଇ କଡ଼ା କାର୍ଯ୍ୟାନୁଷ୍ଠାନ: ପଶ୍ଚିମବଙ୍ଗର ଫାଲତାରେ ସମସ୍ତ ୨୮୫ ବୁଥରେ ସାନି ମତଦାନ ପାଇଁ ନିର୍ଦ୍ଦେଶ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ଜାତୀୟ ନିର୍ବାଚନ କମିଶନ ଏକ ବଡ଼ ତଥା କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ବ୍ୟାପକ ନିର୍ବାଚନୀ ହିଂସା ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟାକୁ କ୍ଷୁର୍ଣ୍ଣ କରିବା ଅଭିଯୋଗରେ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ଫାଲତା ବିଧାନସଭା କ୍ଷେତ୍ରରେ ସାନି ମତଦାନ ବା ରି-ପୋଲିଂ ପାଇଁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ଗତ ଏପ୍ରିଲ୍ ୨୯ ତାରିଖରେ ଏଠାରେ ହୋଇଥିବା ମତଦାନ ପ୍ରକ୍ରିୟାକୁ ବାତିଲ୍ କରାଯାଇଛି ଏବଂ ଆସନ୍ତା ମେ’ ୨୧ ତାରିଖରେ ଏହି ନିର୍ବାଚନମଣ୍ଡଳୀର ସମସ୍ତ ୨୮୫ଟି ବୁଥରେ (ଅତିରିକ୍ତ ବୁଥକୁ ମିଶାଇ) ପୁଣିଥରେ ଭୋଟ୍ ଗ୍ରହଣ କରାଯିବ। ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ମତଦାନ ଚାଲିବ ଏବଂ ମେ’ ୨୪ ତାରିଖରେ ଫଳାଫଳ ଗଣତି ହେବ।

ଏହି ସାନି ମତଦାନ ନିଷ୍ପତ୍ତି ପଛରେ ଇଭିଏମ୍ ଟ୍ୟାମ୍ପରିଂର ଏକ ସାଂଘାତିକ ଅଭିଯୋଗ ରହିଛି। ବିଜେପି ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ, ଫାଲତା ନିର୍ବାଚନମଣ୍ଡଳୀର ଅନେକ ବୁଥରେ ବିଜେପି ପ୍ରାର୍ଥୀଙ୍କ ଚିହ୍ନ ଥିବା ଇଭିଏମ୍ ବଟନ୍ ଉପରେ ଜାଣିଶୁଣି ଆଠାଯୁକ୍ତ ଟେପ୍ କିମ୍ବା କାଳି ଲଗାଇ ଦିଆଯାଇଥିଲା। ଯାହାଫଳରେ ଭୋଟରମାନେ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍ ଦେବାରୁ ବଞ୍ଚିତ ହୋଇଥିଲେ। ଏପରିକି କେଉଁ ଭୋଟର କେଉଁ ବଟନ୍ ଦବାଉଛନ୍ତି ତାହା ଚିହ୍ନଟ କରିବା ପାଇଁ ବଟନ୍ ଉପରେ ଅତର ଲଗାଯାଇଥିବାର ଆଶ୍ଚର୍ଯ୍ୟଜନକ ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଥିଲା।

ନିର୍ବାଚନୀ ଅନିୟମିତତାକୁ ନେଇ ଫାଲତା ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଥିଲା। ହାସିମନଗର ଗାଁରେ ଶତାଧିକ ଲୋକ, ବିଶେଷକରି ମହିଳାମାନେ ରାସ୍ତା ଅବରୋଧ କରି ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନଙ୍କ ଅଭିଯୋଗ ଥିଲା ଯେ, ଟିଏମସି ପ୍ରାର୍ଥୀ ଜାହାଙ୍ଗୀର ଖାନଙ୍କ ସହଯୋଗୀମାନେ ନିର୍ବାଚନ ଫଳାଫଳ ପରେ ହିଂସା ଘଟାଇବା ଏବଂ ନିଆଁ ଲଗାଇଦେବା ନେଇ ଖୋଲାଖୋଲି ଧମକ ଦେଉଛନ୍ତି। ସ୍ଥିତି ବିଗିଡ଼ିବାରୁ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଆଶ୍ୱାସନା ଦେବା ସହ ସୁରକ୍ଷା ବ୍ୟବସ୍ଥାକୁ ନିଜ ଆୟତ୍ତକୁ ନେଇଛନ୍ତି।

ନିର୍ବାଚନ କମିଶନଙ୍କ ଏହି ରି-ପୋଲିଂ ନିଷ୍ପତ୍ତିକୁ ବିଜେପି ସ୍ୱାଗତ କରିଛି। ସୂଚନାଯୋଗ୍ୟ ଯେ, ପୂର୍ବରୁ ଆୟୋଗ ଡାଇମଣ୍ଡ ହାର୍ବର ଏବଂ ମଗ୍ରାହାଟ ପଶ୍ଚିମର ୧୫ଟି ବୁଥରେ ମଧ୍ୟ ସାନି ମତଦାନ କରାଇଥିଲେ। ଅନ୍ୟପକ୍ଷରେ କ୍ଷମତାସୀନ ତୃଣମୂଳ କଂଗ୍ରେସ ଏହାକୁ ବିରୋଧୀଙ୍କ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି କୁହାଯାଉଛି।

Leave A Reply

Your email address will not be published.