Latest Odisha News

BREAKING NEWS

ମହଙ୍ଗା ହେଲା ଓମଫେଡ୍ କ୍ଷୀର: ଲିଟର ପିଛା ୪ ଟଙ୍କା ବଢ଼ିଲା ଦାମ୍, ଜାଣନ୍ତୁ ନୂଆ ଦର କେତେ?

ଭୁବନେଶ୍ୱର: ରାଜ୍ୟର ସାଧାରଣ ଖାଉଟିଙ୍କ ପାଇଁ ଏକ ବଡ଼ ଖବର। ଓଡ଼ିଶାରେ ପୁଣି ମହଙ୍ଗା ହେଲା ଖୀର। ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ ବା ଓମଫେଡ୍ ପକ୍ଷରୁ କ୍ଷୀର ଦର ବୃଦ୍ଧି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ସମସ୍ତ ପ୍ରକାରର କ୍ଷୀର ଦର ଲିଟର ପିଛା ୪ ଟଙ୍କା ବଢ଼ିଛି। ଏହି ନୂଆ ଦର ଲାଗୁ ହେବା ପରେ ଗ୍ରାହକଙ୍କ ପକେଟ୍ ଉପରେ ଏହାର ସିଧାସଳଖ ପ୍ରଭାବ ପଡିବାକୁ ଯାଉଛି।

ନୂଆ ତାଲିକା ଅନୁଯାୟୀ, ଗ୍ରାହକମାନଙ୍କୁ ଏବେ ଅଧିକ ଟଙ୍କା ଗଣିବାକୁ ପଡିବ।

ଟୋନ୍‌ଡ କ୍ଷୀର: ପୂର୍ବରୁ ଲିଟର ପିଛା ୫୦ ଟଙ୍କା ଥିବାବେଳେ ଏବେ ଏହା ୫୪ ଟଙ୍କାରେ ବିକ୍ରି ହେବ।
ପ୍ରିମିୟମ୍ କ୍ଷୀର: ୫୪ ଟଙ୍କାରୁ ବୃଦ୍ଧି ପାଇ ନୂଆ ଦର ୫୮ ଟଙ୍କା ହୋଇଛି। ଗୋଲ୍ଡ ପ୍ରିମିୟମ୍ କ୍ଷୀରର ମୂଲ୍ୟ ୫୬ ଟଙ୍କାରୁ ୬୦ ଟଙ୍କାକୁ ବୃଦ୍ଧି ପାଇଛି। ଗୋଲ୍ଡ ପ୍ରିମିୟମ୍ ପ୍ଲସ୍ କ୍ଷୀର ଲିଟର ପିଛା ୬୦ ଟଙ୍କାରୁ ବଢ଼ି ୬୪ ଟଙ୍କା ହୋଇଛି।

ଯଦି ଆମେ ଅଧ ଲିଟର ପ୍ୟାକେଟ୍ କଥା କହିବା, ତେବେ ପୂର୍ବରୁ ୨୭ ଟଙ୍କାରେ ମିଳୁଥିବା ଏହି ପ୍ୟାକେଟ୍ ପାଇଁ ଏବେ ୨୯ ଟଙ୍କା ଦେବାକୁ ପଡିବ। କ୍ଷୀର ଦର ବୃଦ୍ଧିର ମୁଖ୍ୟ କାରଣ ଭାବେ ଗୋଖାଦ୍ୟ, ଗାଈଗୋରୁଙ୍କ ଔଷଧ, ପ୍ୟାକେଜିଂ ତଥା ପରିବହନ ଖର୍ଚ୍ଚ ବଢ଼ିବାକୁ ଓମଫେଡ୍ କର୍ତ୍ତୃପକ୍ଷ ଦର୍ଶାଇଛନ୍ତି। ଆନୁସଙ୍ଗିକ ଖର୍ଚ୍ଚ ବଢ଼ୁଥିବାରୁ ବାଧ୍ୟ ହୋଇ ଏହି ଦର ବୃଦ୍ଧିର ନିଷ୍ପତ୍ତି ନିଆଯାଇଛି ବୋଲି କମ୍ପାନୀ କହିଛି।

ତେବେ ସାଧାରଣ ଖାଉଟିଙ୍କ ପାଇଁ ଦର ବଢ଼ିଥିବା ବେଳେ, ରାଜ୍ୟର ଦୁଗ୍ଧ ଚାଷୀଙ୍କ ପାଇଁ କିନ୍ତୁ ଏହା ଏକ ଆଶ୍ୱସ୍ତି ଆଣିଦେଇଛି। କାରଣ ଓମଫେଡ୍ ପକ୍ଷରୁ ଚାଷୀଙ୍କଠାରୁ ଦୁଗ୍ଧ ସଂଗ୍ରହ ମୂଲ୍ୟ ମଧ୍ୟ ବୃଦ୍ଧି କରାଯାଇଛି। ଚାଷୀମାନେ ଏଣିକି ଲିଟର ପିଛା ୩୮.୦୫ ଟଙ୍କା ବଦଳରେ ୩୯.୦୫ ଟଙ୍କା ପାଇବେ। ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟର ପ୍ରାୟ ୩ ଲକ୍ଷ ଦୁଗ୍ଧ ଚାଷୀ ସିଧାସଳଖ ଉପକୃତ ହେବେ ଏବଂ ସେମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ହେବ ବୋଲି ଆଶା କୁହାଯାଉଛି।

Leave A Reply

Your email address will not be published.