ନୂଆଦିଲ୍ଲୀ: ଏସି ବିସ୍ଫୋରଣ ହୋଇ ଚାଲିଗଲା ୯ ଜଣଙ୍କର ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ଦିଲ୍ଲୀରେ । ବିବେକ ବିହାରର ଏକ ଫ୍ଲାଟର ଦ୍ବିତୀୟ ମହଲାରେ ହଠାତ୍ ଏକ ଏସି ବିସ୍ଫୋରଣ ହୋଇଥିଲା । ଫଳରେ ନିଆଁ ତୃତୀୟ ମହଲାକୁ ବ୍ୟାପି ଯାଇଥିଲା । ଲୋକମାନେ ନିଜକୁ ବଞ୍ଚାଇବାକୁ ଫ୍ଲାଟ ଭିତରୁ ବାହାରି ଦୌଡିଥିଲେ ।
ସୂଚନା ପାଇ ତୁରନ୍ତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଏହି ଘଟଣାରେ ଏବେ ସୁଦ୍ଧା ୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା ରହିଛି ।
ଏହି ଅଗ୍ନିକାଣ୍ଡ ଏସି ବିସ୍ଫୋରଣ ଯୋଗୁଁ ହୋଇଥିବା ତଦନ୍ତରୁ ଜଣାପଡିଛି । ୧୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ଅନେକ ଲୋକ କୋଠା ଭିତରେ ଫସି ରହିଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।