Latest Odisha News

BREAKING NEWS

ମେ’ ଓ ଜୁନ୍ ମାସରେ ଓଡ଼ିଶାକୁ ଡରାଇବ ଗ୍ରୀଷ୍ମ ପ୍ରବାହ: ଆହୁରି ବଢ଼ିବ ତାତି, ଆଇଏମ୍‌ଡିର ନୂଆ ଆଲର୍ଟ ଜାରି

ଭୁବନେଶ୍ୱର: ଏପ୍ରିଲର ଅସମ୍ଭାଳ ତାତି ପରେ ଓଡ଼ିଶାବାସୀଙ୍କୁ ଆଗକୁ ମଧ୍ୟ ନିସ୍ତାର ମିଳିବାର ନାହିଁ। ମେ’ ଏବଂ ଜୁନ୍ ମାସ ପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏକ ତାଜା ସତର୍କ ସୂଚନା ବା ଆଡଭାଇଜରି ଜାରି କରାଯାଇଛି। ପୂର୍ବାନୁମାନ ଅନୁଯାୟୀ, ଆଗାମୀ ଦୁଇ ମାସ ଓଡ଼ିଶା ସମେତ ପୂର୍ବ ଉପକୂଳର ବିଭିନ୍ନ ଅଞ୍ଚଳରେ ସ୍ୱାଭାବିକ ଠାରୁ ଅଧିକ ଗରମ ଅନୁଭୂତ ହେବ। ଏହି ବର୍ଦ୍ଧିତ ତାପମାତ୍ରା ରାଜ୍ୟବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

ଆଇଏମ୍‌ଡିର ରିପୋର୍ଟ ଅନୁସାରେ, ଓଡ଼ିଶା ବ୍ୟତୀତ ଦେଶର ଅନ୍ୟ କେତେକ ପ୍ରାନ୍ତରେ ମଧ୍ୟ ପ୍ରବଳ ଗରମ ହେବାର ଆଶଙ୍କା ରହିଛି। ବିଶେଷ କରି ହିମାଳୟର ପାଦଦେଶ ଅଞ୍ଚଳ, ଉପକୂଳବର୍ତ୍ତୀ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ଗୁଜରାଟ ଏବଂ ମହାରାଷ୍ଟ୍ରରେ ସ୍ଥିତି ସଙ୍ଗୀନ ରହିବ। ଏହି ସବୁ ଅଞ୍ଚଳରେ ସ୍ୱାଭାବିକ ଠାରୁ ପ୍ରାୟ ୨ ରୁ ୪ ଦିନ ଅଧିକ ଲୁ’ ବା ହିଟ୍ ୱେଭ୍ ପ୍ରବାହିତ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି।

ଆଇଏମ୍‌ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁଯାୟୀ, ସାଧାରଣତଃ ମେ’ ଏବଂ ଜୁନ୍ ମାସରେ ହାରାହାରି ୩ ରୁ ୭ ଦିନ ପର୍ଯ୍ୟନ୍ତ ହିଟ୍ ୱେଭ୍ ଅନୁଭୂତ ହୋଇଥାଏ। କିନ୍ତୁ ଚଳିତ ବର୍ଷ ସ୍ଥିତି ସାମାନ୍ୟ ଭିନ୍ନ ରହିବ। ଅନୁମାନ କରାଯାଉଛି ଯେ, ଏହି ଦୁଇ ମାସରେ ହିଟ୍ ୱେଭ୍ ଦିନଗୁଡ଼ିକର ସଂଖ୍ୟା ହାରାହାରି ଠାରୁ ଆହୁରି ୫ ରୁ ୭ ଦିନ ଅଧିକ ରହିବ। ଅର୍ଥାତ୍ ଆଗାମୀ ଦିନରେ ଗରମର ପ୍ରକୋପ ହାରାହାରି ଠାରୁ ବହୁତ ଅଧିକ ରହିବାକୁ ଯାଉଛି।

ଲଗାତାର ବଢ଼ୁଥିବା ତାପମାତ୍ରା ଏବଂ ଆଇଏମ୍‌ଡିର ଏହି ଆଲର୍ଟକୁ ନେଇ କୌଣସି ବ୍ୟକ୍ତି ଭୟଭୀତ ବା ଆତଙ୍କିତ ନହେବାକୁ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଦେଶବାସୀଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ, ଗ୍ରୀଷ୍ମ ପ୍ରବାହ ଓ ଏଥିରୁ ଉତ୍ପନ୍ନ ପରିସ୍ଥିତିର ମୁକାବିଲା କରିବା ପାଇଁ ସରକାର ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛନ୍ତି। ଖରା ଦିନର ଜରୁରୀକାଳୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ତଥା ଜିଲ୍ଲା ସ୍ତରରେ ସମସ୍ତ ପ୍ରକାର ଆବଶ୍ୟକୀୟ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ବର୍ତ୍ତମାନଠାରୁ ତ୍ୱରିତ ପଦକ୍ଷେପ ନେବାକୁ ସେ ଗୁରୁତ୍ୱାରୋପ କରିଛନ୍ତି।

Leave A Reply

Your email address will not be published.