ଥିରୁଅନନ୍ତପୁରମ୍: ଜିତାଇ ଦେଲେ ଜନତା
ହେଲେ ଗଢି ପାରୁନାହାନ୍ତି ସରକାର…
ଶାସନ ଡୋର ହାତରେ ଥାଇ ବି ୫ ଆସନ ଦୂର
ଏବେ କ’ଣ କରିବେ ଥାଲାପତି ବିଜୟ?
ତାମିଲନାଡୁରେ TVK ବିଜୟଙ୍କ ନେତୃତ୍ୱରେ ସରକାର ଗଢିବାର ବାଟ ଏବେ ଅସ୍ପଷ୍ଟ ରହିଛି। କାରଣ ଗତକାଲି ଅର୍ଥାତ୍ ମେ ୭ରେ ବିଜୟ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯୋଜନା କରିଥିବା ବେଳେ ଏହା ଉପରେ ରୋକ୍ ଲଗାଇଛନ୍ତି ରାଜ୍ୟପାଳ । ଲଗାତାର ଦ୍ୱିତୀୟ ଦିନ ପାଇଁ ଟିଭିକେ ମୁଖ୍ୟ ବିଜୟ, ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ଭେଟିଥିଲେ, କିନ୍ତୁ ରାଜ୍ୟପାଳ ସ୍ପଷ୍ଟ ଭାବରେ କହିଥିଲେ ଯେ ବହୁମତ ପ୍ରମାଣିତ ହେବା ପରେ ହିଁ ସେ ଶପଥ ଗ୍ରହଣ କରିବେ। ଯାହାପରେ ନିରାଶ ହୋଇଛନ୍ତି ବିଜୟଙ୍କ ସମର୍ଥକ । କାରଣ ଟିଭିକେ କଂଗ୍ରେସର ସମର୍ଥନ ପାଇବା ପରେ ମଧ୍ୟ ବହୁମତ ୧୧୮ ଆସନ ଠାରୁ ଏବେ ବି ପାଞ୍ଚଟି ଆସନ କମ୍ ରହିଛି । ଯାହା ଏବେ ବିଜୟଙ୍କୁ ସରକାର ଗଢିବାରୁ ରୋକିଛି । ଏବେ ପ୍ରଶ୍ନ ହେଉଛି, କ’ଣ ମୁଖ୍ୟମନ୍ତ୍ରୀ ହୋଇ ପାରିବେନି ବିଜୟ? ବିପୁଳ ବିଜୟ ପରେ ବି କ’ଣ ହାରିଯିବେ?
ରାଜ୍ୟରେ ଦଳ କଂଗ୍ରେସ ଏପର୍ଯ୍ୟନ୍ତ TVKକୁ ସମର୍ଥନ କରିଛି, ଏହାର ସଂଖ୍ୟା ୧୧୩କୁ ପହଞ୍ଚାଇଛି। କାରଣ ବିଜୟ ନିଜେ ୨ଟି ଆସନରେ ଜିତିଛନ୍ତି । ଆଉ ବିଜ୍ଞପ୍ତି ପ୍ରକାଶ ପାଇବାର ୧୫ ଦିନ ମଧ୍ୟରେ TVK ମୁଖ୍ୟ ବିଜୟଙ୍କୁ ଗୋଟିଏ ଆସନ ଖାଲି କରିବାକୁ ପଡିବ। ଏହା ସଂଖ୍ୟା ୧୧୨କୁ ବୃଦ୍ଧି କରିବ, ଏବଂ ବହୁମତ ସଂଖ୍ୟା ୧୧୭ ହେବ। ଯାହାପରେ ଏବେ TVKକୁ ପାଞ୍ଚ ବିଧାୟକଙ୍କ ଆବଶ୍ୟକତା ଅଛି। ସେପଟେ TVK ପରେ ତୃତୀୟ ମୁଖ୍ୟ ଦଳ ଭାବେ ଉଭା ହୋଇଥିବା AIADMK ଏବେ ପୂର୍ବ ଶାସକ ଦଳ ତଥା ଦ୍ବିତୀୟ ସର୍ବାଧିକ ଦଳ DMK ସହ ମେଣ୍ଟ କରିବା ନେଇ ଚର୍ଚ୍ଚା ଧରିଛି । ଯାହାକୁ ନେଇ ଥାଲାପତି ବିଜୟ ଚେତାବନୀ ଦେଇଛନ୍ତି । “ଯଦି ଏହି ଦୁଇ ଦଳ ମିଶିକରି ସରକାର ଗଠନ କରନ୍ତି ତେବେ ବିଜେୟଙ୍କ ୧୦୭ ବିଧାୟକ ଏକାସାଙ୍ଗରେ ଇସ୍ତଫା ଦେବେ “। ଅନ୍ୟପଟେ ଟିଭିକେ ନେତାମାନେ ସମର୍ଥନ ପାଇଁ IUML ନେତୃତ୍ୱଙ୍କ ସହ ଯୋଗାଯୋଗ କରିଥିଲେ, କିନ୍ତୁ ଦଳ ତାର ମତ ବଦଳାଇ ନଥିଲା। ପରେ, IUML ନେତାମାନେ DMK ସଭାପତି ଏମକେ ଷ୍ଟାଲିନଙ୍କୁ ଭେଟି DMK ମେଣ୍ଟ ସହିତ ରହିବାର ନିଷ୍ପତ୍ତିକୁ ଦୋହରାଇଥିଲେ। ଯାହା ଏବେ ବିଜୟଙ୍କ ସରକାରକୁ ଅନିଶ୍ଚିତତାରେ ପକାଇଛି । ତଥାପି ପୂର୍ବତନ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ବିଜୟଙ୍କୁ ସରକାର ଗଢିବାକୁ ଦିଆଯିବା ଉଚିତ୍ ବୋଲି ମନ୍ତବ୍ୟ ରଖିଛନ୍ତି ।
ଯାହାପରେ ଏବେ ବିଜୟଙ୍କ ପାଇଁ ଗୋଟିଏ ବିକଳ୍ପ । କିଙ୍ଗମେକର ସାଜିପାରନ୍ତି ଛୋଟ ଦଳ । ତାମିଲନାଡୁରେ ସଙ୍କଟ ମଧ୍ୟରେ, ସମସ୍ତଙ୍କ ନଜର ଏବେ ସିପିଆଇ, ସିପିଆଇ(ଏମ୍) ଏବଂ ଭିସିକେର ନେତାମାନଙ୍କ ମତ ଉପରେ ରହିଛି। ଏହି ଦଳଗୁଡ଼ିକର ନେତାମାନେ ଗୁରୁବାର ଚେନ୍ନାଇରେ ସାକ୍ଷାତ କରିଥିଲେ। VCK ମୁଖ୍ୟ ଥୋଲ ଥିରୁମାଭାଲାଭନ କହିଛନ୍ତି ଯେ ରାଜ୍ୟପାଳଙ୍କ ବିଜୟଙ୍କୁ ସରକାର ଗଠନ କରିବାକୁ ଡାକିବା ପୂର୍ବରୁ ୧୧୮ର ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା କିମ୍ବା ବହୁମତ ପ୍ରମାଣ କରିବାକୁ କହିବାର କୌଣସି ଅଧିକାର ନାହିଁ। ତାଙ୍କୁ ପ୍ରଥମେ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବା ଉଚିତ, କାରଣ ଏହା ଲୋକଙ୍କ ଜନାଦେଶ। ଏହା ପରେ, ବିଧାନସଭାରେ ତାଙ୍କର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବା ତାଙ୍କର ଦାୟିତ୍ୱ। ମୁଁ ରାଜ୍ୟପାଳଙ୍କୁ ଅନୁରୋଧ କରୁଛି ଯେ ସେମାନେ ଟିଭିକେ ରାଷ୍ଟ୍ରପତି ଜୋସେଫ ବିଜୟଙ୍କୁ ସରକାର ଗଠନ କରିବାକୁ ଡାକନ୍ତୁ, କାରଣ ଏହା ଲୋକଙ୍କ ଜନାଦେଶ ଏବଂ ତାଙ୍କର ସାମ୍ବିଧାନିକ ଅଧିକାର। ଯାହାକୁ ନେଇ ଏବେ ଆଶା ଉପୁଜିଛି ଯେ, ଏହି ଛୋଟ ଦଳଙ୍କ ସାହାରରେ ଏବେ ବହୁମତ ପାଇପାରନ୍ତି ବିଜୟ । ତଥାପି ଏବେ ତାମିଲନାଡୁ ରାଜନୀତିରେ ଘଡିକୁ ଘୋଡା ଛୁଟୁଥିବା ବେଳେ ଆଗକୁ କ’ଣ ହେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି ।
ସେପଟେ ତାମିଲନାଡୁରେ ଟିଭିକେଙ୍କ ନେତୃତ୍ୱରେ ନୂତନ ସରକାର ଗଠନ ହେବା ପରେ, ଶପଥ ଗ୍ରହଣ ବିଳମ୍ବକୁ ନେଇେ, କଂଗ୍ରେସ ବିଜେପି ଉପରେ ଏକ ବଡ଼ ଆକ୍ରମଣ ଆରମ୍ଭ କରିଛି। ରାହୁଲ ଗାନ୍ଧୀଙ୍କ ଘନିଷ୍ଠ ସହଯୋଗୀ ସାଂସଦ ମାନିକମ୍ ଟାଗୋର କହିଛନ୍ତି, “ଆମେ ସମସ୍ତେ ଜାଣୁ ଯେ ତାମିଲନାଡୁର ଲୋକମାନେ ପରିବର୍ତ୍ତନ ପାଇଁ ଭୋଟ ଦେଇଛନ୍ତି। ସେମାନେ ଜଣେ ନୂତନ ନେତାଙ୍କୁ ଭୋଟ ଦେଇଛନ୍ତି। ଟିଭିକେ ୧୦୮ ବିଧାୟକଙ୍କୁ ନିର୍ବାଚିତ କରିଛନ୍ତି, ଏବଂ କଂଗ୍ରେସ ସମର୍ଥନରେ ଏହି ସଂଖ୍ୟା ୧୧୩କୁ ବୃଦ୍ଧି ପାଇବ। ରାଜ୍ୟପାଳ ଜଣେ ପୂର୍ବତନ ବିଜେପି ନେତା। ଆମେ ଜାଣୁ ଯେ ଦିଲ୍ଲୀରେ ବିଜେପି ବିଜୟ (ଟିଭିକେ ମୁଖ୍ୟ ବିଜୟ)ଙ୍କୁ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁନାହିଁ। ସେଥିପାଇଁ ରାଜ୍ୟପାଳ ଏହି ମାମଲାରେ ବିଳମ୍ବ କରୁଛନ୍ତି। ତାମିଲନାଡୁରେ ବିଜେପିର କେବଳ ଜଣେ ବିଧାୟକ ଅଛନ୍ତି, ଏବଂ ବିଜେପି ତାଙ୍କ ସହିତ ରାଜନୀତି କରିବାକୁ ଚାହୁଁଛି। ଏହି ସମୟରେ, ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଟିଭିକେ ମୁଖ୍ୟ ବିଜୟଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସୂତ୍ର ଅନୁସାରେ ରାଜ୍ୟପାଳ ତାଙ୍କୁ ୧୧୮ ସଂଖ୍ୟା ଦେବାକୁ କହିଛନ୍ତି। ଏହା ପରେ, ବିଜୟ ତାଙ୍କ ବିଧାୟକମାନଙ୍କର ଏକ ବୈଠକ ଡାକିଛନ୍ତି।”