Latest Odisha News

BREAKING NEWS

ପ୍ଲାଷ୍ଟିକ୍ ପେପରରେ ଖାଉଛନ୍ତି କି ଜଳଖିଆ? ମାଡ଼ି ଆସୁଛି କ୍ୟାନସର ଭଳି ଭୟଙ୍କର ରୋଗ

ଭୁବନେଶ୍ୱର: ରାସ୍ତା କଡ଼ ଦୋକାନ ହେଉ କିମ୍ବା ହୋଟେଲ୍, ଆଜିକାଲି ପ୍ଲେଟ୍ ଉପରେ ଏକ ପତଳା ପ୍ଲାଷ୍ଟିକ୍ ସିଟ୍‌ ବା ପେପର ପକାଇ ଖାଦ୍ୟ ପରଷିବା ଏକ ଅଭ୍ୟାସରେ ପରିଣତ ହୋଇଛି। ପ୍ଲେଟ୍ ଧୋଇବା କଷ୍ଟରୁ ବଞ୍ଚିବା ପାଇଁ ଦୋକାନୀମାନେ ଏହି ସର୍ଟକଟ୍ ବାଟ ଆପଣାଉଛନ୍ତି। କିନ୍ତୁ ଆପଣ ଜାଣନ୍ତି କି, ଏହି ସାମାନ୍ୟ ଦେଖାଯାଉଥିବା ପ୍ଲାଷ୍ଟିକ୍ ସିଟ୍ ଆପଣଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଉଛି। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏନେଇ ଏକ ବଡ଼ ଚେତାବନୀ ଦେଇଛନ୍ତି।

ବିଶେଷଜ୍ଞଙ୍କ ମତରେ, ଯେତେବେଳେ ଗରମ ଗରମ ବରା, ସିଙ୍ଗଡ଼ା, ପୁରି କିମ୍ବା ତରକାରୀ ଏହି ପ୍ଲାଷ୍ଟିକ୍ ସିଟ୍ ଉପରେ ରଖାଯାଏ, ସେତେବେଳେ ପ୍ଲାଷ୍ଟିକରେ ଥିବା ବିଷାକ୍ତ କେମିକାଲ୍ ତରଳି ଖାଦ୍ୟରେ ମିଶିଯାଏ। ବିଶେଷ କରି ପ୍ଲାଷ୍ଟିକରେ ଥିବା ‘ବିସଫେନୋଲ୍-ଏ’ (BPA) ଏବଂ ‘ଥାଲେଟ୍ସ’ ଭଳି କ୍ଷତିକାରକ ଉପାଦାନ ଖାଦ୍ୟ ଜରିଆରେ ଆମ ଶରୀର ଭିତରକୁ ପ୍ରବେଶ କରିଥାଏ।

ଏହି କେମିକାଲ୍ ମିଶ୍ରିତ ଖାଦ୍ୟ ଖାଇବା ଦ୍ୱାରା ଶରୀର ଉପରେ ଏହାର ଭୟଙ୍କର ପ୍ରଭାବ ପଡ଼ିଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ଏହା ଦ୍ୱାରା ଲିଭର୍ କ୍ୟାନସର ହୁଏ। ଦୀର୍ଘ ଦିନ ଧରି ଏଭଳି ଖାଦ୍ୟ ଖାଇଲେ ଲିଭର୍ କ୍ୟାନସର ହେବାର ସମ୍ଭାବନା ଅଧିକ ଥାଏ। ସେହିପରି ପେଟରେ ଯନ୍ତ୍ରଣା, ଗ୍ୟାଷ୍ଟ୍ରିକ୍ ଏବଂ ହଜମ ପ୍ରକ୍ରିୟାରେ ଗୁରୁତର ସମସ୍ୟା ଦେଖାଦିଏ। ଏହା ଶରୀରର ହରମୋନ୍ ସ୍ତରକୁ ବିଗାଡ଼ି ଦିଏ, ଯାହା ଫଳରେ ମେଦବହୁଳତା ଏବଂ ବନ୍ଧ୍ୟାଦୋଷ ଭଳି ସମସ୍ୟା ଉପୁଜିପାରେ।

ଶରୀରର ରୋଗ ପ୍ରତିରୋଧକ ଶକ୍ତି ଉପରେ ମଧ୍ୟ ଏହା କୁପ୍ରଭାବ ପକାଏ। ଛୋଟ ପିଲା ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଏହା ଆହୁରି ବିପଦଜନକ। ଅଳ୍ପ ବ୍ୟୟରେ ସୁବିଧା ପାଇବା ପାଇଁ ଦୋକାନୀମାନେ ସିନା ପ୍ଲାଷ୍ଟିକ୍ ବ୍ୟବହାର କରୁଛନ୍ତି, କିନ୍ତୁ ସାଧାରଣ ଜନତା ନିଜ ଜୀବନକୁ ବାଜି ଲଗାଉଛନ୍ତି।

ଯଦି କୌଣସି ଦୋକାନୀ ପ୍ଲାଷ୍ଟିକ୍ ସିଟ୍‌ରେ ଖାଦ୍ୟ ଦେଉଛନ୍ତି, ତେବେ ତାକୁ ମନା କରନ୍ତୁ। ସବୁବେଳେ ଷ୍ଟିଲ୍ ପ୍ଲେଟ୍, କାଗଜ କିମ୍ବା ପାରମ୍ପରିକ କଦଳୀ ପତ୍ର କିମ୍ବା ଖଲି ପତ୍ରରେ ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ।

Leave A Reply

Your email address will not be published.