ଭୁବନେଶ୍ୱର: ଭୁବନେଶ୍ୱର ଲୋୟର ପିଏମଜିରେ ଆଜି ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ରାସ୍ତା କଡ଼ରେ କିଛି ଲୋକ ବସି ଝାଲମୁଢ଼ି ପ୍ରସ୍ତୁତ କରୁଛନ୍ତି ଆଉ ବିକୁଛନ୍ତି। କିନ୍ତୁ ଏମାନେ କେହି ବୃତ୍ତିଗତ ଜଳଖିଆ ବେପାରୀ ନୁହଁନ୍ତି। ଏମାନେ ହେଉଛନ୍ତି ଓଡ଼ିଶା ଷ୍ଟେଟ୍ ମେଡିକାଲ କର୍ପୋରେସନ ଲିମିଟେଡ୍ (OSMCL) ର କର୍ମଚାରୀ। ନିଜ ଚାକିରି ସ୍ଥାୟୀ କରିବା ଦାବିରେ ସେମାନେ ଆଜି ଏଭଳି ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି।
ଓଡ଼ିଶା ଷ୍ଟେଟ୍ ମେଡିକାଲ କର୍ମଚାରୀ ସଂଘ (OSMA) ର ଶତାଧିକ କର୍ମଚାରୀ ଆଜି ରାଜଧାନୀର ରାଜରାସ୍ତାକୁ ଓହ୍ଲାଇଛନ୍ତି। ସେମାନଙ୍କର ଏକମାତ୍ର ଦାବି ହେଉଛି ‘ଚାକିରି ନିୟମିତକରଣ’। ଦୀର୍ଘ ୧୦ ବର୍ଷରୁ ଅଧିକ ସମୟ ଧରି ସେମାନେ ଠିକା ଭିତ୍ତିରେ କାମ କରି ଆସୁଛନ୍ତି। ହେଲେ ସରକାର ସେମାନଙ୍କୁ ସ୍ଥାୟୀ କରୁନାହାନ୍ତି। ସେଥିପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସେମାନେ ରାସ୍ତାରେ ଝାଲମୁଡ଼ି ବିକି ନିଜର ଦୁର୍ଦ୍ଦଶା ଦର୍ଶାଇଛନ୍ତି।
ଆନ୍ଦୋଳନକାରୀ କର୍ମଚାରୀମାନେ ଅତି ଦୁଃଖର ସହ କହିଛନ୍ତି ଯେ, କରୋନା ମହାମାରୀ ସମୟରେ ଯେତେବେଳେ ସାରା ଦୁନିଆ ଭୟରେ ଥିଲା, ସେତେବେଳେ ଏହି କର୍ମଚାରୀମାନେ ଜୀବନକୁ ବାଜି ଲଗାଇ ସେବା ଯୋଗାଇଥିଲେ। ସରକାର ସେତେବେଳେ ସେମାନଙ୍କୁ ‘କରୋନା ଯୋଦ୍ଧା’ କହି ଖୁବ୍ ପ୍ରଶଂସା କରିଥିଲେ। ହେଲେ ଆଜି ସେହି ଯୋଦ୍ଧାମାନେ ନିଜର ଭବିଷ୍ୟତ ସୁରକ୍ଷା ପାଇଁ ରାସ୍ତାରେ ବସିଛନ୍ତି।
କର୍ମଚାରୀଙ୍କ ଅଭିଯୋଗ ଅନୁସାରେ, ସେମାନେ ଯେଉଁ ସଂସ୍ଥାରେ କାମ କରୁଛନ୍ତି ସେଥିରେ ଅନେକ ନୂଆ ନୂଆ ପଦବୀ ସୃଷ୍ଟି ହେଉଛି। କିନ୍ତୁ ବର୍ଷ ବର୍ଷ ଧରି କାମ କରୁଥିବା ପୁରୁଣା କର୍ମଚାରୀଙ୍କୁ ସ୍ଥାୟୀ କରାଯାଉନି। ସେମାନଙ୍କର ବୟସ ବଢ଼ୁଛି, ହେଲେ ଚାକିରି ସୁରକ୍ଷା ନଥିବାରୁ ପରିବାର ଚଳାଇବା କଷ୍ଟକର ହେଉଛି।
ଝାଲମୁଡ଼ି ବିକି ପ୍ରତିବାଦ କରିବା ପଛର ମୂଳ କାରଣ ହେଉଛି, ଯଦି ସରକାର ଚାକିରି ସ୍ଥାୟୀ ନକରନ୍ତି ତେବେ ସେମାନଙ୍କୁ ଶେଷରେ ଏମିତି ରାସ୍ତା କଡ଼ରେ ଝାଲମୁଡ଼ି ବିକି ପେଟ ପୋଷିବାକୁ ପଡ଼ିବ। ଆଗାମୀ ଦିନରେ ଯଦି ସରକାର ସେମାନଙ୍କ ଦାବି ପୂରଣ ନକରନ୍ତି, ତେବେ ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ସଂଘ ଚେତାବନୀ ଦେଇଛି।