ଭୁବନେଶ୍ୱର: ନକଲି ପୋଲିସକୁ ବାନ୍ଧିଲା ଅସଲି ପୋଲିସ। ରାଜଧାନୀରୁ ହେଲା ଗିରଫ। ନିଜକୁ ପୋଲିସ କହି ଲୋକଙ୍କୁ ଲଗାଉଥଲା ଚୂନ। ଓଡ଼ିଶା ଫାୟାର ସର୍ଭିସର ଫେକ୍ ଆଇ କାର୍ଡ ବନାଇବା ସହ ଗାଡ଼ିରେ ପୋଲିସ ଲୋଗ ଲଗାଇ ବୁଲୁଥିଲା। ପୋଲିସ ପରିଚୟ ଦେଇ ଟୋଲ୍ ଗେଟ୍ ପାରି ହେଉଥିଲା। ଡମଣା ଛକରେ ବ୍ଲକିଂ ବେଳେ ଧରା ପଡ଼ିଗଲା ଏହି ନକଲି ପଲିସ।
ଅଭିଯୁକ୍ତକୁ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ କନକ ବିହାରର ବାସିନ୍ଦା ଆଦିତ୍ୟ ସେଠୀ ଭାବରେ ଚିହ୍ନଟ କରାଯାଇଛି। ସୂଚନା ଅନୁଯାୟୀ, ସୋମବାର ଦିନ ନିୟମିତ ରାତି ଯାନବାହାନ ଯାଞ୍ଚ ସମୟରେ ଉକ୍ତ ଯୁବକକୁ ଅଟକ ରଖାଯାଇଥିଲା। ପୋଲିସ ତା କାରରେ ପୋଲିସ ଷ୍ଟିକର ଦେଖିବା ପରେ ତାକୁ ଅଟକାଇଥିଲା। ପଚରାଉଚରା କରିବା ସମୟରେ ଯୁବକ ନିଜକୁ ଶରତ କୁମାର ସେଠୀ ବୋଲି ଦାବି କରିଥିଲା ଏବଂ ଏକ ନକଲି ଅଗ୍ନିଶମ ସେବା କର୍ମଚାରୀ ପରିଚୟପତ୍ର ଦେଖାଇଥିଲା। ଅସଙ୍ଗତ ଉତ୍ତର ମଧ୍ୟରେ, ତାକୁ ଅଧିକ ପଚରାଉଚରା ପାଇଁ ଚନ୍ଦ୍ରଶେଖରପୁର ଥାନାକୁ ନିଆଯାଇଥିଲା।
ପଚରାଉଚରା ସମୟରେ, ସେ ନିଜର ପ୍ରକୃତ ପରିଚୟ ସ୍ୱୀକାର କରିଥିଲା ଏବଂ ପ୍ରକାଶ କରିଥିଲା ଯେ ସେ ଏକ କ୍ୟାବ୍-ହେଲିଂ ଆପ୍ ପାଇଁ ଡ୍ରାଇଭର ଭାବରେ କାମ କରେ। ଖାଲି ସେତିକି ନୁହେଁ, ସୋସିଆଲ ମିଡିଆରେ ପୋଲିସ ୟୁନିଫର୍ମ ପିନ୍ଧି ଦେଖାଉଥିଲା ପତିଆରା। ଲୋକଙ୍କୁ ଡରାଉଥିଲା । ମିଛି କେସରେ ଫସାଇବାକୁ ଦେଉଥିଲା ଧମକ ଚମକ। ଅଭିଯୁକ୍ତ ଆଦିତ୍ୟ ସେଠୀକୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ। ଏନେଇ ପ୍ରେସ ମିଟ କରି ସୂଚନା ଦେଇଛନ୍ତି ଜୋନ୍ ୬ ଏସିପି ମାନସ ରଞ୍ଜନ ପ୍ରଧାନ। ପୋଲିସ ଗାଡ଼ିକୁ ଜବତ କରି ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିଛି।