୧୭୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା କଳାମଣ୍ଡଳ କାର୍ଯ୍ୟକୁ ଯଥାଶୀଘ୍ର ଶେଷ କରିବାକୁ ସଂସ୍କୃତି ମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର: ଭୁବନେଶ୍ୱର ସୈନିକ ସ୍କୁଲ ନିକଟରେ ନିର୍ମାଣଧୀନ କଳାମଣ୍ଡଳ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । କଳାମଣ୍ଡଳର ନିର୍ମାଣ କାର୍ଯ୍ୟକୁ ଯଥାଶୀଘ୍ର ସମାପ୍ତ କରିବା ପାଇଁ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂରଜ ନିର୍ଦ୍ଦେଶ ଦେଇଛନ୍ତି ।
କଳାମଣ୍ଡଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଅଗ୍ରଗତିକୁ ନେଇ ଆଜି ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂରଜଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଆଜି ପ୍ରାତଃ ସମୟରେ କଳା ମଣ୍ଡଳ ବୁଲି ଦେଖିବା ସହ ଏହାର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ମନ୍ତ୍ରୀ ଶ୍ରୀ ସୂରଜ ଇଡ଼କୋର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ପ୍ରାୟ ୧୭୩ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେଉଥିବା କଳାମଣ୍ଡଳ କମ୍ପ୍ଲେମ୍ସରେ ୨୦୦୦ ଆସନ ବିଶିଷ୍ଟ ଅଡ଼ିଟୋରିୟମ୍ ଏବଂ ୫୦୦ ଆସନ ବିଶିଷ୍ଟ ଏକ ମୁକ୍ତାକାଶ ରଙ୍ଗମଞ୍ଚର କାର୍ଯ୍ୟ ନିର୍ମାଣଧୀନ ରହିଛି । ନିର୍ମାଣ କାର୍ଯ୍ୟର ଗୁଣବତ୍ତାକୁ ସୁନିଶ୍ଚିତ କରିବା ପାଇଁ ନିୟମିତ ଅନ୍ତରାଳରେ ସମୀକ୍ଷା ବୈଠକ କରିବା ପାଇଁ ମନ୍ତ୍ରୀ ଶ୍ରୀ ସୂରଜ ସଂସ୍କୃତି ବିଭାଗ ଓ ଇଡ଼କୋର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଅଗ୍ନି ନିରାପତ୍ତା ବ୍ୟବସ୍ଥା, କଳାମଣ୍ଡଳର ଆଲୋକୀକରଣ, ଦୃଶ୍ୟ-ଶ୍ରାବ୍ୟ ବ୍ୟବସ୍ଥା, ଭିଡ଼ିଓ ୱାଲ- ଏଲଇଡ଼ି ଇନଷ୍ଟଲେସନ ଉପରେ ମନ୍ତ୍ରୀ ଶ୍ରୀ ସୂରଜ ଗୁରୁତ୍ୱାରୋପ କରିଥିଲେ।
ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି ଯେ, କଳାମଣ୍ଡଳର ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ସମାପ୍ତ ହେବ । କଳା ଓ ସଂସ୍କୃତି କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ମତାମତକୁ ନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଇଡ଼କୋର ମିଳିତ ସମନ୍ୱୟରେ କଳାମଣ୍ଡଳର ନିର୍ମାଣ କାର୍ଯ୍ୟ ଜାରି ରହିଛି। ନିର୍ମାଣ କାର୍ଯ୍ୟ ସମାପ୍ତ ହେବା ପରେ କଳାମଣ୍ଡଳକୁ ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରାଯିବ। ରାଜ୍ୟର ସର୍ବବୃହତ ଅଡ଼ିଟୋରିୟମ୍ ଓ ମୁକ୍ତାକାଶ ରଙ୍ଗମଞ୍ଚ “କଳାମଣ୍ଡଳ” ଓଡ଼ିଶାର ସାଂସ୍କୃତିକ ଗୌରବକୁ ଏକ ନୂତନ ପରିଚୟ ଦେବ । ଆମ ଓଡ଼ିଆ ସଂସ୍କୃତିକୁ ବିଶ୍ୱ ବିଦିତ କରିବା ଦିଗରେ ଏହା ଏକ ମାଇଲଖୁଣ୍ଟ ସାଜିବ ବୋଲି ସଂସ୍କୃତି ମନ୍ତ୍ରୀ ମତପ୍ରକାଶ କରିଛନ୍ତି ।
ଆଜିର ସମୀକ୍ଷା ବୈଠକରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଡ଼. ବିଜୟ କେତନ ଉପାଧ୍ୟାୟ, ଇଡ଼କୋର ପରିଚାଳନା ନିର୍ଦ୍ଦେଶକ ଡ଼ି. ପ୍ରଶାନ୍ତ କୁମାର ରେଡ୍ଡୀ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।