କଟକ : କଟକ ଜିଲ୍ଲା ବାରଙ୍ଗ ଥାନା ଗୋଡ଼ିସାହି ଫାଣ୍ଡି ମୁଣ୍ଡଳୀ ଛକରେ ତିନି ଜଣଙ୍କୁ ଖଣ୍ଡାରେ ଆକ୍ରମଣ ଘଟଣାରେ ୩ ଗିରଫ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୨ଜଣ ଆଠଗଡ଼ ଓ ଜଣେ ଭୁବନେଶ୍ୱର ବାସିନ୍ଦା। ସିସିଟିଭି ଆଧାରରେ ଅଭିଯୁକ୍ତଙ୍କୁ ଗିରଫ କଲା ବାରଙ୍ଗ ପୋଲିସ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡିଛି।
ଏହି ଘଟଣାରେ ୩ ଜଣ ଗୁରୁତରଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ବାରଙ୍ଗ ଥାନା ମୁଣ୍ଡଳୀ ବ୍ୟାରେଜ ନିକଟ ସାନମୁଣ୍ଡଳୀ ଗ୍ରାମର କାହ୍ନୁ ଦଳାଇ ନାମକ ଯୁବକ ଛକରେ ଦହିବରା ଖାଉଥିବା ବେଳେ ୬ ଜଣ ଦୁର୍ବୃତ୍ତ ୨ଟି ବାଇକ୍ ରେ ଆସି ଖଣ୍ଡାରେ ପ୍ରଥମେ ତାଙ୍କୁ ଆକ୍ରମଣ କରିଥିଲେ। କାହ୍ନୁଙ୍କୁ ବଞ୍ଚାଇବାକୁ ଯାଇ ଦହିବରା ବ୍ୟବସାୟୀ ବାଟୁଆ ଏବଂ ଅନ୍ୟ ଜଣେ ପାନ ଦୋକାନୀ ଅନୀଲ ମଧ୍ୟ ଗୁରୁତର ଆହତ ହୋଇଛନ୍ତି।
ଏପରିକି ଆକ୍ରମଣକାରୀଙ୍କ ଧାରୁଆ ଅସ୍ତ୍ରର ଚୋଟ, ଦହିବରା ବିକାଳୀଙ୍କ ହାଣ୍ଡି ଗୁଡ଼ିକରେ ମଧ୍ୟ ସ୍ପଷ୍ଟ ଦେଖିବାକୁ ମିଳିଛି । ଏହି ଘଟଣାରେ ଆହତ ମାନଙ୍କୁ କଟକ ବଡ଼ ମେଡିକାଲକୁ ପଠା ଯାଇଛି। ଘଟଣା ସ୍ଥଳରେ ଜୋନ୍ ୪ ଏସିପି, ବାରଙ୍ଗ ଥାନା ଅଧିକାରୀ ପହଞ୍ଚି ତଦନ୍ତ କରିଛନ୍ତି। ପୂର୍ବ ଶତ୍ରୁତାରୁ ଏପରି ଘଟଣା ଘଟିଥିବା କୁହା ଯାଉଥିବା ବେଳେ ଏନେଇ ବାରଙ୍ଗ ଥାନାରେ କେସ୍ ନମ୍ବର ୨୩୭/୨୦୨୬ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ପୋଲିସ ଏହାର ତଦନ୍ତ କରୁଛି ବୋଲି ବାରଙ୍ଗ ଥାନା ପକ୍ଷରୁ ସୂଚନା ମିଳିଛି।